ଅଙ୍ଗନୱାଡ଼ିକୁ ଆସୁଥିବା ଛୋଟ ପାଦରେ ଏବେ ଅଧିକ ସୁବିଧା, ଅଧିକ ଗୁଣବତ୍ତା। ୩ରୁ ୬ ବର୍ଷ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ୟୁନିଫର୍ମ, ଜୋତା, ମୋଜା ଓ ସ୍ବେଟର ମୂଲ୍ୟରେ ସଂଶୋଧନକୁ ଓଡ଼ିଶା ସରକାର ମଞ୍ଜୁରି ଦେଇଛନ୍ତି।
କପଡ଼ା, ସିଲେଇ ଓ ପରିବହନ ଖର୍ଚ୍ଚ ବଢ଼ୁଥିବା ପରିସ୍ଥିତିରେ ଶିଶୁମାନଙ୍କୁ ମିଳୁଥିବା ପୋଷାକର ମାନ ଅଟୁଟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ୧୭୫ ଟଙ୍କାକୁ ବଢ଼ିଥିବାବେଳେ, ବାଳିକାଙ୍କ ପୋଷାକ ୧୦୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି।
ସେହିପରି ଜୋତା ଓ ମୋଜା ପାଇଁ ୧୫୦ ଟଙ୍କା ଓ ସ୍ବେଟର ପାଇଁ ୨୦୦ ଟଙ୍କା ନିର୍ଦ୍ଧାରିତ ହୋଇଛି। ଏହି ସଂଶୋଧିତ ବ୍ୟବସ୍ଥା ୨୦୨୬–୨୭ ଆର୍ଥିକ ବର୍ଷରୁ ଲାଗୁ ହେବ।
ଏହାର ଲାଭ ନେବେ ରାଜ୍ୟର ୭୪,୨୨୪ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ପଢୁଥିବା ୧୪.୭୬ ଲକ୍ଷରୁ ଅଧିକ ଶିଶୁ। ଏହି ଅତିରିକ୍ତ ବ୍ୟୟ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ପଷ୍ଟ କରିଛନ୍ତି।

