ଭୁବନେଶ୍ୱର :-
ଭାରତର ସବୁଠାରୁ ବୃହତ୍ତମ ଖଣି ଓ ଭିତ୍ତିଭୂମି ଆନ୍ତର୍ଜାତୀୟ ପ୍ରଦର୍ଶନୀର ଚତୁର୍ଥ ସଂସ୍କରଣ ଆଜି ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆରେ ଭବ୍ୟ ଭାବେ ଉଦଘାଟିତ ହୋଇଛି। ଏହି ପ୍ରଦର୍ଶନୀ ୮ ରୁ ୧୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମାଗଣାରେ ଖୋଲା ରହିବ।
ଏହି ଭବ୍ୟ କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ତଥା ‘ସମ୍ବାଦ’ ଓ ‘କନକ ଟିଭି’ର ପ୍ରତିଷ୍ଠାତା ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ, କେସିସି ର ସିଏମଡି ତଥା ଏହି ଏକ୍ସପୋର ଏମ୍ବାସାଡର ଶ୍ରୀ ସୌମ୍ୟ ରଞ୍ଜନ ସାମଲ, ଲଘୁ ଉଦ୍ୟୋଗ ଭାରତୀର ଅଧ୍ୟକ୍ଷ ଶ୍ରୀ ଗୋପାଳଦାସ ଅଗରୱାଲ, ଫ୍ୟୁଚୁରିକ୍ସ ର ପରିଚାଳନା ନିର୍ଦ୍ଦେଶକ ସ୍ୱାମୀ ପ୍ରେମ ଅନ୍ୱେଷୀ, ଏବଂ ନାଲକୋର ପୂର୍ବତନ ସିଏମଡି ତଥା ଆୟୋଜକ କମିଟିର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ, ଶ୍ରୀ ଅବିନାଶ ପଟ୍ଟନାୟକ (ଅର୍ଗନାଇଜିଙ୍ଗ ସେକ୍ରେଟାରୀ, ଓଡ଼ିଶା ଚାମ୍ବର ଅଫ କମର୍ସ)ଙ୍କ ସହିତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଓ ଶିଳ୍ପ ଜଗତର ନେତୃବୃନ୍ଦଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା।
ଲଘୁ ଉଦ୍ୟୋଗ ଭାରତୀ, ଓଡ଼ିଶା ଚେମ୍ବର ଅଫ୍ କମର୍ସ ଏବଂ ଇପିକଲ ର ସହଯୋଗରେ ଫ୍ୟୁଚୁରିକ୍ସ ଟ୍ରେଡ଼ ଫେୟାର ଆଣ୍ଡ ଇଭେଣ୍ଟସ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ଭାରତ ଓ ବିଦେଶର ଖଣି, ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଣୀ କମ୍ପାନୀ ଓ ବିଶେଷଜ୍ଞମାନେ ଏକତ୍ରିତ ହୋଇଛନ୍ତି।
ଏହି ଅବସରରେ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଭୁବନେଶ୍ୱରରେ ଏଭଳି ଏକ ବୃହତ୍ ମାଇନିଂ ଏକ୍ସପୋ ଆୟୋଜନ ହେବା ଖୁସିର କଥା। ଏହା ପ୍ରଯୁକ୍ତି ବିନିମୟ, ଶିଳ୍ପ ସହଯୋଗ ଏବଂ ଦୀର୍ଘମ୍ୟାଦୀ ଖଣିଜ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ।
ଫ୍ୟୁଚୁରିକ୍ସ ଗ୍ରୁପ ର ପରିଚାଳନା ନିର୍ଦ୍ଦେଶକ ସ୍ୱାମୀ ପ୍ରେମ ଅନ୍ୱେଷୀ କହିଥିଲେ ଯେ, ଏବର୍ଷ ଏହି ପ୍ରଦର୍ଶନୀରେ ରୁଷ, ଜର୍ମାନୀ, କୋରିଆ, ଜାପାନ, ଚୀନ ଓ ତାଇୱାନ ଭଳି ଦେଶର ଅନେକ ଆନ୍ତର୍ଜାତୀୟ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନେ ତାଙ୍କର ଅତ୍ୟାଧୁନିକ ପ୍ରଯୁକ୍ତି, ଯନ୍ତ୍ରପାତି ଓ ସମାଧାନ ପ୍ରଦର୍ଶନ କରୁଛନ୍ତି।
ଆୟୋଜକ କମିଟିର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଥିଲେ ଯେ, ପ୍ରାୟ ୩୦,୦୦୦ ବର୍ଗ ମିଟର ଅଞ୍ଚଳରେ ବିସ୍ତୃତ ଏହି ଏକ୍ସପୋରେ ପ୍ରାୟ ୨୦,୦୦୦ରୁ ଅଧିକ ପରିଦର୍ଶକ ଆସିବେ ବୋଲି ଆଶା କରାଯାଉଛି। ସ୍ଥାୟୀ ଓ ପରିବେଶ-ମିତ୍ର ଖଣିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଏବଂ ଓଡ଼ିଶାକୁ ଭାରତର ଏକ ପ୍ରମୁଖ ଗ୍ରୀନ୍ ମାଇନିଂ ହବ୍ ଭାବେ ଗଢ଼ିତୋଳିବା ହେଉଛି ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ।
ଏହି ପ୍ରଦର୍ଶନୀରେ ୩୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଛନ୍ତି, ଯେଉଁମାନେ ଅତ୍ୟାଧୁନିକ ଖଣି ଯନ୍ତ୍ରପାତି, ନବୀନ ପ୍ରଯୁକ୍ତି ଏବଂ ସେବା ପ୍ରଦର୍ଶନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଭାରତର ଖଣି ଓ ଭିତ୍ତିଭୂମି କ୍ଷେତ୍ରରେ ବ୍ୟବସାୟକୁ ସୁଦୃଢ଼ କରିବା, ପ୍ରଯୁକ୍ତିକୁ ଆଗେଇ ନେବା ଏବଂ ସ୍ଥାୟୀ ବିକାଶକୁ ଉତ୍ସାହିତ କରିବାରେ ଏକ ମୁଖ୍ୟ ଭୂମିକା ନିଭାଇବ।

