Type Here to Get Search Results !

ଓଡ଼ିଶା ପାଇଁ ଗୌରବ ଆଣିଲେ ଝାରସୁଗୁଡ଼ାର ଚାରି କ୍ରୀଡ଼ା ପ୍ରତିଭା; ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ କରିବେ ସମ୍ମାନିତ


ଝାରସୁଗୁଡ଼ା :-

ଦିଉ ଠାରେ ଜାନୁଆରୀ ୫ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଦ୍ୱିତୀୟ ‘ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ’ର ପେନକାକ୍ ସିଲାଟ୍ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲାର ଚାରିଜଣ ପ୍ରତିଭାବାନ ଖେଳାଳି ଓଡ଼ିଶା ରାଜ୍ୟ ଦଳକୁ ପ୍ରତିନିଧିତ୍ୱ କରି ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଏହି ଜାତୀୟ ପ୍ରତିଯୋଗିତାରେ ସେମାନେ ନିଜର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ଓଡ଼ିଶା ପାଇଁ ମୋଟ ଦୁଇଟି ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ସଫଳତା କ୍ରମରେ ସୋହିଲ ଗୁରୁଙ୍ଗ ଟାଣ୍ଡିଂ ଇଭେଣ୍ଟର ୬୦-୬୫ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ରାହୁଲ ସା, ସୋନୁ ସେମାଲିଆ ଏବଂ ଅଂଶୁମାନ ଭୌମିକଙ୍କୁ ନେଇ ଗଠିତ ପୁରୁଷ ରେଗୁ ଟିମ୍ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏହି ଗୌରବମୟ ସଫଳତା ପାଇଁ ସମସ୍ତ ଖେଳାଳିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଖେଳାଳିଙ୍କୁ ଉତ୍ସାହିତ କରି ଜିଲ୍ଲାପାଳ କହିଛନ୍ତି ଯେ, ଏହି ଯୁବ କ୍ରୀଡ଼ାବିତମାନଙ୍କର ନିରନ୍ତର ପରିଶ୍ରମ ଏବଂ ଅଧ୍ୟବସାୟ ସମଗ୍ର ଜିଲ୍ଲା ପାଇଁ ଏକ ଆଦର୍ଶ। ଏହି ଜାତୀୟ ସଫଳତା କେବଳ ଝାରସୁଗୁଡ଼ାର ଅନ୍ୟ ଉଦୀୟମାନ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବାରେ ସହାୟକ ହେବ। ସେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନେ ଯେପରି ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ୱିତ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ପାଇଁ କହିଛନ୍ତି।

ଏହି କୃତୀ ଖେଳାଳିଙ୍କ ମନୋବଳକୁ ଦ୍ୱିଗୁଣିତ କରିବା ଏବଂ ସେମାନଙ୍କ ଉପଲବ୍ଧିକୁ ସ୍ୱୀକୃତି ଦେବା ପାଇଁ ଜିଲ୍ଲାପାଳ ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପରେଡ୍ ଉତ୍ସବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ବିଜେତାଙ୍କୁ ସମ୍ବର୍ଦ୍ଧନା ସହ ସମ୍ମାନିତ କରାଯିବ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.