Type Here to Get Search Results !

ଆକ୍ସନ ମୂଡ଼ରେ ତିର୍ତୋଲ ବି.ଇ.ଓ., ସି.ଆର ସି. ସି ଙ୍କ ଦରମା ବନ୍ଦ


ତିର୍ତ୍ତୋଲ :-

ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ଅଧିକାରୀ ୭ ଜଣ ସି.ଆର.ସି.ସି ଙ୍କୁ କାରଣ ଦର୍ଶାଅ ନୋଟିସ୍ ଓ ଜାନୁଆରୀ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସୂଚନା ମୁତାବକ, ତିର୍ତ୍ତୋଲ ବ୍ଲକ ରେ ସି.ଆର.ସି.ସି ମାନେ କାର୍ଯ୍ୟ ସମ୍ପାଦନାରେ ଅବହେଳା ଓ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଏହି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି । ଘରୋଇ ବିଦ୍ୟାଳୟକୁ ସି.ଓ.ଆର ପ୍ରଦାନ, ମାଗଣା ପୋଷାକ ବଣ୍ଟନ ରେ ଅବହେଳା, ମିଥ୍ୟା ଦରମା ବିଲ୍ ଓ ଶିକ୍ଷକ ତାଲିମ ପାଣ୍ଠି ଆତ୍ମସାତ ଭଳି ବିଭିନ୍ନ ଘଟଣା ପାଇଁ ଚର୍ଚ୍ଚାରେ ରହୁଥିବା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହା ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ସି.ଆର.ସି.ସି ମାନେ କ୍ଷେତ୍ର ତଦାରଖ ଓ ତଥ୍ୟ ପ୍ରଦାନ କରିବାରେ ଢିଲା ଢାଲା ମନୋଭାବ ରଖି କାର୍ଯ୍ୟ କରୁଥିବାରୁ କ୍ଲଷ୍ଟର ରେ ଯେଉଁ ଭଳି ଉନ୍ନତି ହେବାକଥା ତାହା ହେଉ ନାହିଁ । ଯେଉଁଥିପାଇଁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ମଣ୍ଡଳ ଶିକ୍ଷା ଅଧିକାରୀ ହଟହଟା ହେଉଛନ୍ତି । ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରି ବୈଠକରେ ଯୋଗ ନଦେବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ଏକା ସାଙ୍ଗରେ ୭ ଜଣ ସି.ଆର.ସି.ସି ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଥିବାରୁ ସି.ଆର.ସି.ସି ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଶିକ୍ଷାଦାନ ସହିତ ବିଦ୍ୟାଳୟ ପରିଦର୍ଶନ ଓ ତଥ୍ୟ ସଂଗ୍ରହ କରି ବିଭାଗକୁ ପ୍ରଦାନ କରିବାରେ ଚରମ ଅବହେଳା ଯୋଗୁଁ ଏହା କେତେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କଙ୍କଡାକୁ ଗୋଳିପାଣି ସୁହାଇଲା ଭଳି ଅବସ୍ଥା ସୃଷ୍ଟି ହୋଇଛି । ବିଦ୍ୟାଳୟକୁ ଠିକ୍ ସମୟରେ ନ ଆସିବା, ମଧ୍ୟାହ୍ନ ଭୋଜନରେ ହେରଫେର, ବିଦ୍ୟାଳୟ ଛାଡ଼ି ଅଫିସରେ ଡେରା ପକାଇବା ଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳୁଛି । ସି.ଆର.ସି.ସି ମାନଙ୍କୁ ପ୍ରଦାନ କରାଯାଇଥିବା ଏହି ନିର୍ଦ୍ଦେଶନାମାରେ ସେମାନଙ୍କୁ ୨ ଦିନ ମଧ୍ୟରେ ଜବାବ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରା ଯାଇଛି । ବହୁ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିଲେ ସୁଦ୍ଧା ସି.ଆର.ସି.ସି ମାନେ ଅନ୍ୟୁନ ୧୫ ଦିନ ବିଦ୍ୟାଳୟରେ ଶିକ୍ଷାଦାନ କରିବା ନିୟମ ରହିଥିଲା ବେଳେ ତାହା ସଠିକ ଭାବେ ହେଉ ନଥିବାରୁ ଛାତ୍ରଛାତ୍ରୀ ଙ୍କ କୋର୍ସ ସରୁନାହିଁ । ସି.ଆର.ସି.ସି ହାତପାଣ୍ଠି , ବିଦ୍ୟାଳୟରୁ ବିଭିନ୍ନ ପ୍ରୋଗ୍ରାମ ପାଇଁ ବଟି ଆଦାୟ, ଘୋଟାଲାରେ ସହଯୋଗ, ରାଜନୈତିକ ଗୋଷ୍ଠୀ ରାଜନୀତି, ପତିଆରା ଦେଖାଇବା ବ୍ୟତୀତ ନିଜର ମୂଳକାମ ଭୁଲିଯାଇଛନ୍ତି କେତେକ ସି.ଆର.ସି.ସି । ବିଶେଷ ଖବର ଅନୁସାରେ ଘରେବସି ପ୍ରକ୍ସି ସି.ଆର.ସି.ସି ଙ୍କ ଜରିଆରେ ସବୁକାମ ଚଳେଇ ନେଉଛନ୍ତି । ଅତୀତରେ ସି.ଆର.ସି.ସି ନିଯୁକ୍ତି ସହ ଦୀର୍ଘଦିନ ପଦବୀରେ ରହିବା ପାଇଁ ହାତଗୁଞ୍ଜା କାରବାର ହୋଇଥିବାର ନଜିର ରହିଛି । ଏଥିପାଇଁ ଖର୍ଚ୍ଚ ହେଉଥିବା ସରକାରୀ ପାଣ୍ଠିର ଦୁରୁପଯୋଗ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବହୁ ବିବାଦରେ ଛନ୍ଦି ହୋଇଥିବା ବ୍ଲକ ଶିକ୍ଷାବ୍ୟବସ୍ଥା ସହିତ ଅମାନିଆ ସି.ଆର.ସି.ସି ଙ୍କୁ କିଭଳି ଭାବେ ଶିକ୍ଷାଧିକାରୀ ସଜାଡୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ।

ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.