ଭୁବନେଶ୍ୱର :–
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଦୁର୍ବଳ ହୋଇଛି। ସେଥିପାଇଁ ଏକ ନୂତନ ଘୂର୍ଣ୍ଣିବଳୟ ପୂର୍ବ-କେନ୍ଦ୍ରୀୟ ଓ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇ, ପଶ୍ଚିମାଡ଼କୁ ଗତି କରୁଛି। ଏହାର ପ୍ରଭାବରେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗୁରୁବାର ରାତି ପୂର୍ବରୁ ନୂତନ ଲଘୁଚାପ ଗଠିତ ହେବାର ସମ୍ଭାବନା ରହିଛି।
ଶୁକ୍ରବାର ସୁଦ୍ଧା ଏହି ପ୍ରଣାଳୀ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ଅଞ୍ଚଳରେ ଅବପାତର ରୂପ ନେବାର ଆଶଙ୍କା ରହିଛି। ଏହାର ପରିଣାମରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ସହିତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ଦିଆଯାଇଛି।
ଏହି ପରିସ୍ଥିତିକୁ ମୁକାବିଲା କରିବାକୁ ରାଜ୍ୟର Special Relief Commissioner (SRC) ୧୮ଟି ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏଥିରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ନୂଆପଡ଼ା ଜିଲ୍ଲା ଅନ୍ତର୍ଭୁକ୍ତ।
ଜିଲ୍ଲାପାଳମାନଙ୍କୁ କର୍ମକ୍ଷେତ୍ରରେ ରହି ସଜାଗ ଥିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେଥିସହ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ପ୍ରବେଶ କରିବାରେ କଡା ନିଷେଧ ଜାରି କରାଯାଇଛି।

