କୋଦଳା :-
ଚୋରା ଦେଶୀ ମଦ ଚଢାଉ କରିବାକୁ ଯାଇଥିବା ପୋଲିସ ମାନଙ୍କ ଉପରେ ମଦ ମାଫିଆଙ୍କ ଅତର୍କିତ ଆକ୍ରମଣ। ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଜଣେ ହୋମଗାର୍ଡ ଗୁରୁତର ଭାବେ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ଉପରକୁ ଗତକାଲି ସନ୍ଧ୍ୟାରେ ପୁସ୍ତପୁର ଠାରେ ଆକ୍ରମଣ ହୋଇଥିବା ବେଳେ ରାମାନନ୍ଦ ମିଶ୍ର ନାମକ ଜଣେ ଗୃହରକ୍ଷୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ଘଟଣାରେ ଶନିବାର ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ । ଅଭିଯୁକ୍ତ ମାନେ ହେଲେ ପୁସ୍ତପୁର ଗ୍ରାମର ଆଦିତ୍ୟ ବେହେରା, ନୂଆ ଫାଶୁଳା ଗ୍ରାମର ସିଲୁ ପାହାନ, ତୋଟାଗାଁ ର ଓମ୍ ପାହାନ। ଘଟଣା ସ୍ଥଳରୁ ଗୋଟିଏ କାଠ ବାଡି ଓ ଗୋଟିଏ ଖଣ୍ଡା ଜବତ କରାଯାଇଛି।ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ପୋଲିସ ପକ୍ଷରୁ ଚୋରା ମଦକୁ ନେଇ ଧରପଗଡ଼ କରାଯାଇଥିଲା। ପୋଲିସ ପହଞ୍ଚୁ ପହଞ୍ଚୁ ଉକ୍ତ ଅଭିଯୁକ୍ତ ମାନେ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରି ଅତର୍କିତ ଆକ୍ରମଣ କରିଥିଲେ ଏବଂ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ କୋଦଳା ଥାନାରେ କେଶ୍ ନମ୍ବର ୫୯୯/୨୦୨୪ ରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ସୁବାଷ ବେହେରା । ଗଞ୍ଜାମ ଜିଲ୍ଲାରୁ ଆଶିଷ ରାଓଙ୍କ ରିପୋର୍ଟ