ସତ୍ୟବାଦୀ :-
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀ ସାକ୍ଷୀଗୋପୀନାଥ ଦେବ ମନ୍ଦିର ସାମ୍ନାରେ ଅବସ୍ଥାପିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ସାକ୍ଷୀଗୋପାଳ ବଜାର ଅଞ୍ଚଳରେ "ମଦମୁକ୍ତି ଯୁବବାହିନୀ" ପକ୍ଷରୁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ମଦ ନୀତି ଯୋଗୁଁ ପ୍ରତ୍ୟେକ ଦିନ ଘଟୁଥିବା ଅଘଟଣା ଓ ଦୁର୍ଘଟଣା ଭଳି ଗମ୍ଭୀର ସମସ୍ୟାକୁ ସରକାର ଏବଂ ରାଜନେତାମାନେ କିପରି ଅଣଦେଖା କରିଚାଲିଛନ୍ତି ତାହାକୁ ସଙ୍ଗଠନର ସଦସ୍ୟମାନେ ପ୍ଲା-କାର୍ଡ଼, ଗୀତ ଓ ସ୍ଲୋଗାନ୍ ମାଧ୍ୟମରେ ପ୍ରଦର୍ଶନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଚାରପତ୍ର ପ୍ରଦାନ କରିଥିଲେ । ମଦ ଭଳି ଏକ ଅଭଦ୍ର, ଅସଭ୍ୟ ମାଦକ ଦ୍ରବ୍ୟକୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରି ଓଡ଼ିଶା ର କୋଣ ଅନୁକୋଣରେ ୪ ହଜାର ରୁ ଅଧିକ ମଦ ଦୋକାନ ଖୋଲିଛନ୍ତି । ମଦରୁ ବହୁତ ରାଜସ୍ୱ ମିଳୁଥିବା କଥା ସମ୍ପୂର୍ଣ୍ଣ ମିଛ । ରାଜ୍ୟ ସରକାରଙ୍କ ମୋଟ୍ ବଜେଟ ର ମାତ୍ର ୨.୫ ରୁ ୩ ପ୍ରତିଶତ ଅବକାରୀ ବିଭାଗରୁ ମିଳିଥାଏ । ମଦ ମିଳୁଥିବା କାରଣରୁ ରାଜ୍ୟରେ ଗାଡ଼ି ଦୁର୍ଘଟଣା,ଘରୋଇ ହିଂସା, ନାରୀ ନିର୍ଯ୍ୟାତନା, ହତ୍ୟା, ବଳାତ୍କାର, ଗୋଷ୍ଠୀ ସଂଘର୍ଷ ପରି ଘଟଣା ଦିନକୁ ଦିନ ବଢି ଚାଲିଛି । ଯାହାଫଳରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ତେଣୁ ରାଜସ୍ୱ ପାଇଁ ନୁହଁ ବରଂ ରାଜ୍ୟରେ କୃଷି, ରୋଜଗାର, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ମୌଳିକ ସମସ୍ୟା ଉପରୁ ଜନସାଧାରଣଙ୍କ ନଜର ହଟାଇବା ଏବଂ ଯୁବଗୋଷ୍ଠୀଙ୍କୁ ନିଶା ଦ୍ୱାରା ମାନସିକ ପଙ୍ଗୁ କରିବା ସହ ସରକାରଙ୍କୁ ଏ ସଂକ୍ରାନ୍ତ ରେ ପ୍ରଶ୍ନ ପଚାରିବାର କ୍ଷମତା ହରାଇବା ଭଳି ଷଡ଼ଯନ୍ତ୍ର କରି ରାଜ୍ୟ ସରକାର ମଦ ବିକ୍ରି କରୁଥିବା କଥା 'ମଦ ମୁକ୍ତି ଯୁବବାହିନୀ' ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମାସ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ରାଜ୍ୟ ର ସ୍ୱାର୍ଥ ଦୃଷ୍ଟିରୁ ମଦ ବିକ୍ରି କରିବା ଏକ ଜନମଙ୍ଗଳକାରୀ ସରକାରଙ୍କ ଲକ୍ଷଣ ନୁହେଁ, କିନ୍ତୁ ଓଡ଼ିଶା ର ଜନସାଧାରଣଙ୍କ ଅନିଚ୍ଛା ସତ୍ତ୍ୱେ ଏ ଅହଂଙ୍କାରୀ ସରକାର ଅଧିକରୁ ଅଧିକ ମଦ ଦୋକାନକୁ ସ୍ୱୀକୃତି ପ୍ରଦାନ କରୁଛନ୍ତି । ତେଣୁ ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୁଦ୍ଧରେ ଆଜିର ଯୁବଗୋଷ୍ଠୀ ସ୍ୱର ଉତ୍ତୋଳନ କରିବାକୁ ମଦମୁକ୍ତି ଯୁବବାହିନୀ ପକ୍ଷରୁ ହିମାଂଶୁ ଶେଖର ନାୟକ ଉପସ୍ଥିତ ଜନସାଧାରଣଙ୍କମାନଙ୍କୁ ଅହ୍ୱାନ ଦେଇଛନ୍ତି । ସରକାର ହିଁ ପ୍ରବଳ ଜନମତ ର ଚାପରେ ସେଗୁଡ଼ିକୁ ବନ୍ଦ କରିପାରିବ । ଏଥିପାଇଁ ସେହି ଯୁବକ ମାନଙ୍କୁ ସମାଜ କଲ୍ୟାଣ ର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଯୋଡ଼ିବା ନିମିତ୍ତ ମଦମୁକ୍ତି ଯୁବବାହିନୀ ଓଡ଼ିଶାର ବିଭିନ୍ନ ବ୍ଲକ୍ ରେ "ପ୍ରଭାତଫେରୀ" କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ଯୁବବାହିନୀ ର ଅନ୍ୟତମ ସଦସ୍ୟ ଅରୁଣ କୁମାର ସାମନ୍ତରାୟ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ ପାଇଁ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଭାସ୍କର ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କରାଯାଇଛି। ଏଥିରେ ଅମିୟ କୁମାର ସ୍ଵାଇଁ, ବାନାମ୍ଵର ବେହେରା, ଅନିଲ ପରିଡ଼ା ସମେତ ସତ୍ୟବାଦୀ ଓ କଣାସ ଅଞ୍ଚଳର ମଦମୁକ୍ତି ଯୁବ ବାହିନୀର ସଦସ୍ୟ ଓ ଜନସାଧାରଣ ଯୋଗ ଦେଇଥିଲେ ।ସତ୍ୟବାଦୀ ରୁ ରାଜକିଶୋର ସେନାପତି ଙ୍କ ରିପୋର୍ଟ।