ଝାରସୁଗୁଡା : -
ଝାରସୁଗୁଡା ସହରର ହୋଟେଲ ମେଘଦୁତ ଠାରେ କ୍ରିଡା ବିକାଶ ସଂଗଠନ ଯୁବ ଖେଳାଳିଙ୍କୁ ନେଇ ନୂଆଁଖାଇ ଭେଟଘାଟ ଏବଂ ସମ୍ବର୍ଦ୍ଧନା ସଭା ସଂଗଠନ ସଭାପତି ରତ୍ନାକର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ସମ୍ମାନିତ ଅତିଥି ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାଏକ ଯୋଗ ଦେଇଥିବା ବେଳେ ସଂଗଠନର ଉପଦେଷ୍ଟା ଦଶରଥ ମୁଣ୍ଡା, ମୂଖ୍ୟ ସଂଯୋଜକ ନିତ୍ୟାନନ୍ଦ ଭଇଁଷା, ସୁଜିତ କୁଜୁର, ଅଜୟ ଓରାମ ମଞ୍ଚାସିନ ଥିଲେ। ଏଥିରେ ଜିଲ୍ଲାର ସମସ୍ତ ପାଞ୍ଚଟି ବ୍ଲକ ଦୁଇଟି ମ୍ୟୁନିସିପାଲଟୀ ଓ ଗୋଟିଏ ଏନଏସିର ପାଖାପାଖି ଦୁଇଶହ ଯୁବ ଖେଳାଳୀ ଉଭୟ ପୁଅ ଝିଅ ସହିତ ପୁରୁଣା ଖେଳାଳି ଓ ଖେଳପ୍ରେମୀ ଯୋଗ ଦେଇଥିଲେ। ସର୍ବପ୍ରଥମେ ସଭାପତି ଶ୍ରୀପ୍ରଧାନ ସଂଗଠନର ଆଭିମୁଖ୍ୟ, ଖେଳାଳୀ ମାନଙ୍କର ଅସୁବିଧା ତାଙ୍କୁ କ୍ରିଡା କୋଟାରେ ଥଇଥାନ ଆଦି ଅନେକ ଦାବି ବିଧାୟକଙ୍କ ପାଖରେ ଉପସ୍ଥାପନ କରିଥିଲେ। ଯାହା ୨୦୧୬ ମସିହାରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଝାରସୁଗୁଡା ଠାରେ ଏକ ସମନ୍ବିତ କ୍ରିଡା କମ୍ପ୍ଲେକ୍ସ ନିର୍ମାଣ କରାଯିବା ପାଇଁ ଯୋଜନା ହୋଇଥିଲା। ସେଥିପାଇଁ ସହର ଉପକଣ୍ଠସ୍ଥ ଏଚ କଟାପାଲି ଠାରେ ୨୨ ଏକର ଜମି ଚିହ୍ନଟ ହୋଇଛି। ରାଜ୍ୟ ସରକାର ଏହି ଯୋଜନାକୁ ମଞ୍ଜୁରି ଦେଇ ଏହାର ନିର୍ମାଣ ପାଇଁ ଗତ ୨୦୧୯ ମସିହାରେ ତତ୍କାଳୀନ କ୍ରୀଡାମନ୍ତ୍ରୀଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ ପ୍ରକଳ୍ପର କାର୍ଯ୍ୟ ପାଦେବି ଆଗେଇ ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଆରମ୍ଭ କରାଯାଉ। ପୂର୍ବରୁ ରାଜ୍ୟ ସରକାର ରାଜ୍ୟ ତରଫରୁ ପ୍ରତିନିଧିତ୍ଵ କରିଥିବା ଓ ସନ୍ତୋଷ ଟ୍ରଫି ଖେଳାଳୀ ମାନଙ୍କୁ କ୍ରୀଡା କୋଟାରୁ ଥଇଥାନ କରାଯାଉଥିଲା, ହେଲେ ଏହାକୁ ତତ୍କାଳୀନ ସରକାର ବନ୍ଦ କରି ଦେଇଛନ୍ତି। ଏହାର ପୁନଃ ପ୍ରଚଳନ କରାଯାଉ। ଜିଲ୍ଲାରେ ଗଢି ଉଠିଥିବା ଶିଲ୍ପାନୁଷ୍ଠାନ ଓ ଖଣି ଅଞ୍ଚଳ ମାନଙ୍କରେ କ୍ରୀଡାବିତ ମାନଙ୍କ ସଂରକ୍ଷଣ ନିଶ୍ଚିତ କରାଯାଉ। ଜିଲ୍ଲା ଖଣିଜ ପାଣ୍ଠି ଓ ସି.ଏସ.ଆର ପାଣ୍ଠିରୁ ପାଞ୍ଚ ପ୍ରତିଶତ ଜିଲ୍ଲାର କ୍ରୀଡା କ୍ଷେତ୍ରୀୟ ବିକାଶରେ ପ୍ରତିବର୍ଷ ବିନିଯୋଗ କରାଯାଉ। ବିଧାୟକ ଶ୍ରୀତ୍ରିପାଠୀ ଏହି ଦାବି ଗୁଡିକୁ ସରକାରଙ୍କ ପାଖରେ ଶୀଘ୍ର ଉପସ୍ଥାପନ କରିବ ଓ ଜିଲ୍ଲାରେ ଗଢି ଉଠିଥିବା ସମସ୍ତ ଶିଲ୍ପାନୁଷ୍ଠାନ ମାନଙ୍କରେ ଅତି କମରେ ପାଞ୍ଚ ଜଣ ଲେଖାଏଁ କ୍ରୀଡା କୋଟାରେ ଥଇଥାନ କରିବା ପାଇଁ ଦୃଢ ପ୍ରତିଶୃତି ଦେଇଥିଲେ। ଏହା ପରେ ବିଭିନ୍ନ ବିଭାଗରେ ଖ୍ୟାତି ଅର୍ଜନ କରିଥିବା ପୁରାତନ ଫୁଟବଲ ଖେଳାଳୀ ଭଗବାନ ଡିଲା, ପୁରାତନ କ୍ରିକେଟ ଖେଳାଳୀ ବାଲାଜୀ କୁମାର ସକ୍ସେନା ଓ କ୍ରୀଡା ସଂଗଠକ ମୋହନ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଧାୟକଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଗଠନ ସଂପାଦକ ପ୍ରଭାକର ଓରାମ ପରିଚାଳନା କରିଥିବା ବେଳେ ବିନୋଦ ବିହାରୀ ବାଗ, ବାସୁଦେବ ସେଠୀ, ଗଣେଶ ଓରାମ, ସୁରଜ ପ୍ରଧାନ, ମୁନୁ ମାହାର, ସଂଜୟ ଦାସ, ତ୍ରିଲୋଚନ ଡନସନା, ସୁମିତ ମୁଣ୍ଡା, ସଂଜୀବ ଓରାମ, କାର୍ତ୍ତିକ ଦାସ, ଉତ୍ତମ ମହାନନ୍ଦ, ସୁନାମାଲୀ ମହାନନ୍ଦ, ନିଲ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଉପଦେଷ୍ଟା ଦଶରଥ ମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।