Type Here to Get Search Results !

ତେଲେଙ୍ଗାନାରେ ବୀଭତ୍ସ ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କୁ ଧରିଲା କମିସନରେଟ୍‌ ପୁଲିସ

 
                                 

ଭୁବନେଶ୍ବର: -

ସ୍ପଷ୍ଟ ଦିବାଲୋକରେ ବିଚ୍‌ ରାସ୍ତାରେ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥାର ମାଲିକ ମହମ୍ମଦ ରିଆଜ୍‌ଙ୍କୁ ନିର୍ମମ ଭାବେ ହତ୍ୟା। ପ୍ରଥମେ ତାଙ୍କ ଉପରେ କାର୍‌ ଚଢ଼ାଇଦେଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘୋଷାଡ଼ି ହୋଇ ରାସ୍ତାକଡ଼କୁ ଯାଉଥିବା ବେଳେ ଲୋକଙ୍କ ସାମ୍ନାରେ ଗୁଳିକରି ହତ୍ୟା କଲେ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାର ରାଜ୍‌କୋଣ୍ଡା କମିସନରେଟ୍‌ ପୁଲିସରେ।

ଯାହାକି ସାରା ରାଜ୍ୟରେ ଆତଙ୍କ ଖେଳ‌ାଇବା ସହ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ହତ୍ୟାକାଣ୍ଡ ପରେ ୪ ଅଭିଯୁକ୍ତ ରାଜ୍ୟ ଛାଡ଼ି ଓଡ଼ିଶା ଚାଲିଆସିଥିବା ରାଜ୍‌କୋଣ୍ଡା କମିସନରେଟ୍‌ ପୁଲିସ ସୂଚନା ପାଇଥିଲା। ଫଳରେ ସେମାନଙ୍କୁ ଧରିବା ବଡ଼ ଚ୍ୟାଲେଞ୍ଜ ଥିଲା। ରାଜ୍‌କୋଣ୍ଡା ପୁଲିସ କମିସନର ଭୁବନେଶ୍ବର ଡିସିପି ପ୍ରତୀକ ସିଂହଙ୍କ ସହ ଯୋଗାଯୋଗ କରି ଘଟଣାର ଗମ୍ଭୀରତା ସମ୍ପର୍କରେ ଜଣାଇଥିଲେ। ପରେ କମିସନରେଟ୍‌ ପୁଲିସ ଜଗତପୁର ନିକଟରୁ ମୀନାକ୍ଷୀ ବସ୍‌ରୁ ଅଭିଯୁକ୍ତ ମହମ୍ମଦ ସଲିମ୍‌, ମହମ୍ମଦ ସୁଲ୍‌ତାନ, ମହମ୍ମଦ ଇସ୍‌ମାଇଲ୍‌ ଓ ମହମ୍ମଦ ଘୋସ୍‌କୁ କାବୁ କରିଥିଲା। ଗତକାଲି (ଶନିବାର) ରାତିରେ ସେମାନଙ୍କୁ ରାଜ୍‌କୋଣ୍ଡା କମିସନରେଟ୍‌ ପୁଲିସକୁ ଜିମା ଦିଆଯାଇଥିଲା।

କୋଲକାତା ଫେରାର ବେଳେ ବସ୍‌ରୁ ଧରାପଡ଼ିଲେ

ଗତ ୯ ତାରିଖ ସକାଳ ପ୍ରାୟ ୮ଟା ସମୟରେ ଅଭିଯୁକ୍ତମାନେ ରିଆଜ୍‌ଙ୍କୁ ହତ୍ୟା କରିବା ପରେ ଭୁବନେଶ୍ବର ଚାଲି ଆସିଥିଲେ। ଅଭିଯୁକ୍ତମାନେ ଟ୍ରେନ୍‌ରେ ଆସି ୧୦ ତାରିଖ ଦିନ ୧୦ଟା ୨୭ ମିନିଟ୍‌ରେ ମାଷ୍ଟରକ୍ୟାଣ୍ଟିନ୍‌ ଷ୍ଟେସନରେ ଓହ୍ଲାଇଥିବା ସେଠାକାର ପୁଲିସ ଫୋନ୍‌ ଟ୍ରାକିଂରୁ ଜାଣି ପାରିଥିଲା। ଏନେଇ ତୁରନ୍ତ ଭୁବନେଶ୍ବର ଡିସିପି ଶ୍ରୀ ସିଂହଙ୍କୁ ସୂଚନା ଦିଆଯାଇଥିଲା। ଡିସିପି ଶ୍ରୀ ସିଂହ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଅନ୍ୟ ୪ଟି ଥାନା ପୁଲିସକୁ ନେଇ ୫ଟିମ୍‌ ଗଠନ କରି ସହରର ବିଭିନ୍ନ ହୋଟେଲ୍‌, ମଲ୍‌, ବସ୍‌ଷ୍ଟାଣ୍ଡ ସବୁଠି ଚଢ଼ଉ ଆରମ୍ଭ ହୋଇଥିଲା। ଚଢ଼ଉ ବେଳେ ଜଣାପଡ଼ିଥିଲା ‌ଯେ ଅଭିଯୁକ୍ତମାନେ ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ ଏକ ହୋଟେଲ୍‌ରେ ଦିନ ୧୧ଟାରେ ଚେକ୍‌ ଇନ୍‌ କରିଥିଲେ। ଆଉ ଦିନ ୩ଟା ୧୫ରେ ହେଟେଲ୍‌ ଛାଡ଼ି ଚାଲି ଯାଇଥିଲେ। ଏହାପରେ ପୁଲିସ ସିଡିଆର୍‌ ରି‌ପୋର୍ଟ ଯାଞ୍ଚ କରିଥିଲା। ଗୋଟିଏ ମୋବାଇଲ ନମ୍ବର ରସୁଲ୍‌ଗଡ଼ ଜାତୀୟ ରାଜପଥ ଅଞ୍ଚଳରେ ସକ୍ରିୟ ଥିବା ଜଣାପଡ଼ିଥିଲା। ସେହି ନମ୍ବରକୁ ଟ୍ରାକିଂ କରି ପୁଲିସ ଟିମ୍‌ ପିଛା କରିଥିଲା। ଅଭିଯୁକ୍ତମାନେ ମୀନାକ୍ଷୀ ନାମକ ବସ୍‌ରେ ଯାଉଥିବା ଜଣାପଡ଼ିବା ପରେ ପୁଲିସ ଜଗତପୁର ନିକଟରେ ବସ୍‌କୁ ଅଟକାଇ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଆଭାସୀରେ ଡିସିପି ଓ ଟିମ୍‌କୁ ଜଣାଇଲେ ବଧାଇ

ଭୁବନେଶ୍ବର କମିସନରେଟ୍‌ ପୁଲିସର ଏଭଳି ସଫଳତା ପାଇଁ ରାଜ୍‌କୋଣ୍ଡା କମିସନରେଟ୍‌ ପୁଲିସ ପକ୍ଷରୁ ଆଭାସୀ ମାଧ୍ୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ରାଜ୍‌କୋଣ୍ଡା ପୁଲିସ କମିସନର, ଅତିରିକ୍ତ ପୁଲିସ କମିସନର ଓ ଡିସିପି ଯୋଗଦେଇ ଭୁବନେଶ୍ବର ଡିସିପି ଶ୍ରୀ ସିଂହ ଓ ତାଙ୍କ ଟିମ୍‌କୁ ବଧାଇ ଜଣାଇଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.