Type Here to Get Search Results !

ବେଗୁନିଆରେ ଅପରାଜିତାଙ୍କୁ ଜନତାଙ୍କ ବିରୋଧ : ଉଦ୍‌ଘାଟନକୁ ଆସିବା ରାସ୍ତାରୁ ଫେରିଗଲେ ସାଂସଦ

 



ଖୋର୍ଦ୍ଧା/ବେଗୁନିଆ : -

ନିର୍ବାଚନ ସରିବାର ୩ ମାସ ପୂରିନି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରିବା ପୁଣି ଆରମ୍ଭ ହୋଇଛି। ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀରେ ପୁଣି ତେଜିଛି ଅପରାଜିତା ବିରୋଧୀ ଆନ୍ଦୋଳନ। ଅପରାଜିତା ଡାଉନ୍‌ ଡାଉନ୍‌ ନାରା ଦେଲେ ଲୋକେ।

ପ୍ରକାଶ ଥାଉକି, ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ, ହଜ ପଞ୍ଚାୟତରେ ଉଦ୍ୟାନ କୃଷି ବିଭାଗର ଅନୁଦାନ ରାଶିରେ ବ୍ଲକ ପ୍ରଶାସନ ସହଯୋଗରେ ଏକ ଶୀତଳ ଭଣ୍ଡାର ଉଦ୍‌ଘାଟନ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା।

ବର୍ତ୍ତମାନ ବିଧାନସଭା ଚାଲୁଥିବାରୁ ବିଧାୟକ ଆସିବା ସମ୍ଭବ ନୁହେଁ। ଏହା ସତ୍ତ୍ବେ ପ୍ରଶାସନ ଉପରେ ଚାପ ପକାଇ ସାଂସଦ ଏକୁଟିଆ ଉଦ୍‌ଘାଟନ କରିବାକୁ ଚୂଡ଼ାନ୍ତ କରିଥିଲେ। ହେଲେ ସ୍ଥାନୀୟ ସରପଞ୍ଚ, ଲୋକପ୍ରତିନିଧିଙ୍କ ସହ ଶହ ଶହ ସଂଖ୍ୟାରେ ପୁରୁଷ ମହିଳା ରାସ୍ତାରେ ବସି ଏହାର ପ୍ରତିବାଦ କରିଛନ୍ତି। ଏଥିରେ ବିଜେଡି ବ୍ଲକ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ, ସତ୍ୟ ନାରାୟଣ ପ୍ରଧାନ, ପ୍ରମୋଦ ଦଳାଇ, ଆରତ ମାଝୀ, ଲାବଣ୍ୟ ଜୟସିଂହ, ଦମୟନ୍ତୀ ସାମନ୍ତରାୟ, ଲିଲା ସ୍ୱାଇଁ, ସନ୍ତୋଷୀ ରାୟ, ସମିତି ସଭ୍ୟ ଅଞ୍ଜଳି ସାହୁ, ଦିଲୀପ ବଡ଼ଜେନା, ଅଲେଖ ବେହେରା, ସଞ୍ଜୟ ଦେହୁରୀ, ଦୁର୍ଗା ଚରଣ ମଙ୍ଗରାଜ, ପୂର୍ବତନ ସରପଞ୍ଚ ଭାସ୍କର ସାମନ୍ତରାୟ, ୱାର୍ଡ ସଭ୍ୟ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିଥିଲେ।

ଅପରାଜିତାଙ୍କ ବିରୋଧରେ ନାରାବାଜି ଦେବା ସହ ବିଜେପି ସରକାର ବିରୋଧରେ ବି ସ୍ୱର ଉତ୍ତୋଳନ କରିଥିଲେ। ଖବର ପାଇ ଜଙ୍କିଆ ପୁଲିସ ୨ ସେକ୍ସନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ଲୋକେ ଘୋର ବିରୋଧ କରିଥିଲେ। ସାଂସଦଙ୍କ ପ୍ରତିନିଧି ତଥା ବେଗୁନିଆ ବୋଲଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି ଲୋକଙ୍କୁ ବୁଝାଇ ଉଦ୍‌ଘାଟନ କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ। ଲୋକଙ୍କ ପ୍ରତିବାଦ ଖବର ପାଇ ସାଂସଦ ଅଧା ବାଟରୁ ଫେରିଯାଇଥିଲେ।

ଏନେଇ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭା ଅଧିବେଶନରେ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ପ୍ରକାର ପ୍ରସଙ୍ଗ ଉପସ୍ଥାପନ କରୁଥିବା ବେଳେ ସାଂସଦ ସ୍ଥାନୀୟ ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ନିର୍ବାଚିତ ପ୍ରତିନିଧିଙ୍କ ଅଗୋଚରରେ ଏଭଳି କାର୍ଯ୍ୟ କରିବା କେତେଦୂର ଯଥାର୍ଥ ବୋଲି କହିବା ସହ ଅଞ୍ଚଳବାସୀଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୪ ଦିନ ତଳେ ବାଲିପାଟଣାରେ ସାଂସଦଙ୍କୁ ନ ଡାକିବା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରଶାସନ ଉପରେ ଚାପ ପକାଇ ପୂର୍ବ ସରକାର ପ୍ରକଳ୍ପକୁ ଉଦ୍‌ଘାଟନ କରି ବାହାବାହା ନେବା ସାଂସଦଙ୍କୁ ଦିନକୁ ଦିନ ମହଙ୍ଗା ପଡୁଥିବା ଚର୍ଚ୍ଚା ହେଉଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.