ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ (ଜିତୁ) ଓ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଏବେ ଭିନ୍ନମୋଡ଼ ନେଇଛି। ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ଦୁଇ ସହଯୋଗୀ ବ୍ଲକ୍ ବିଜେଡି ସଭାପତି ଜଳଧର ମହାନ୍ତି ଓ ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ ବିଧାୟକଙ୍କ କାର୍ଯ୍ୟାଳୟରେ ପଶି ଫାଙ୍କା ଗୁଳିଚାଳନା କରିବା ଓ ବିଧାୟକଙ୍କୁ ହତ୍ୟାଧମକ ଦେଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା।
ବିଧାୟକଙ୍କ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହାର ଗୁମର ଖୋଲିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏଭଳି ସମ୍ବେଦନଶୀଳ ଘଟଣାକୁ ପୁଲିସ ଅତି ସତର୍କତାର ସହିତ ତଦନ୍ତ କରୁଛି। ଏହି ଘଟଣାକୁ ନେଇ ବିଜେଡି ବ୍ଲକ୍ ସଭାପତି ଶ୍ରୀ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ଗୁଳିମାଡ଼ ଘଟଣା ସମ୍ପର୍କରେ ସେ ଆଜି ସମ୍ବାଦପତ୍ରରୁ ଜାଣିବାକୁ ପାଇଲେ। ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ସେ ଦଲିଲ ଲେଖାଲେଖି କରନ୍ତି। ପରିଣତ ବୟସରେ ହାତ ଥରୁଥିବାରୁ ସେ ଆଉ ଭଲ ଭାବେ କଲମ ଧରି ପାରୁନାହାନ୍ତି। ଏବେ ବନ୍ଧୁକ କିପରି ଧରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ବିଧାୟକ କ୍ରସର ଓ ଖାଦାନ ଲିଜ୍ଧାରୀଙ୍କଠାରୁ ବଟି ନେଉଛନ୍ତି ବୋଲି ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ଅଭିଯୋଗ କରିଥିଲେ। ଶ୍ରୀ ବଳବନ୍ତରାୟଙ୍କ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଜେଡି ବ୍ଲକ୍ ସଭାପତି ଶ୍ରୀ ମହାନ୍ତି ଓ ଛାତ୍ର ବିଜେଡି ବ୍ଲକ୍ ସଭାପତି ଶ୍ରୀ ନାୟକ କିଛି ସମୟ ପରେ କୁମାରୀରେ ଥିବା ବିଧାୟକଙ୍କ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକ ଶ୍ରୀ ସାହୁଙ୍କୁ ଖୋଜିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାରିଦେବାକୁ ଧମକ ଦେଇଥିଲେ। ଏପରିକି ଫାଙ୍କା ଗୁଳିଚାଳନା କରିଥିଲେ ବୋଲି ସେଠାରେ ଉପସ୍ଥିତ ଥିବା ବିଧାୟକଙ୍କ ସମର୍ଥକ ଶରତ ଓଝା ଗତ ୨୫ ତାରିଖରେ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ କେସ୍ ନମ୍ବର ୬୪୬/୨୪ରେ ମାମଲା ରୁଜୁ କରିଛି ପୁଲିସ। ଧର୍ମଶାଳା ଥାନା ଅଧିକାରୀ ତପନ କୁମାର ନାୟକ ଦୁଇଟି ଖୋକା ମିଳିଛି ଓ ତଦନ୍ତ ଚାଲିଛି ବୋଲି କହିଛନ୍ତି।