Type Here to Get Search Results !

ଝାଡ଼ଖଣ୍ଡରେ ରାଜନୈତିକ ହଟଚମଟ; ଚମ୍ପାଇ ସୋରେନ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା

 


ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଚମ୍ପାଇ ସୋରେନ ଦଳ ପରିବର୍ତ୍ତନ ପୂର୍ବକ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିବାବେଳେ ତାଙ୍କର ଅଚାନକ ଦିଲ୍ଲୀ ଗସ୍ତ ଏହି ଚର୍ଚ୍ଚାକୁ ଶକ୍ତି ଯୋଗାଇଛି। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସୋରେନଙ୍କୁ ଦଳ ପରିବର୍ତ୍ତନ ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିଥିବାବେଳେ ଏହାକୁ ସେ ଏଡାଇ ଯାଇଛନ୍ତି।

ସୋରେନ କହିଛନ୍ତି ଯେ ବ୍ୟକ୍ତିଗତ କାରଣ ପାଇଁ ସେ ଏଠାକୁ ଆସିଛନ୍ତି। ରିପୋର୍ଟ ଅନୁଯାୟୀ ସୋରେନ ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ ସହିତ ଯୋଗାଯୋଗରେ ରହିଛନ୍ତି। ବିଜେପିରେ ଯୋଗଦେବା ସମ୍ପର୍କିତ ପ୍ରଶ୍ନକୁ ସୋରେନ ଏଡାଇ ଯାଇଥିବାବେଳେ ଏହା ପୂର୍ବରୁ ସୋସିଆଲ ମିଡିଆରେ ସେ ଦେଇଥିବା ମନ୍ତବ୍ୟ ତାଙ୍କର ଦଳବଦଳ ସମ୍ଭାବନାକୁ ସୂଚିତ କରୁଛି। ରବିବାର ସୋରେନ ସୋସିଆଲ ମିଡିଆରେ ଲେଖିଥିଲେ ଯେ ଦଳରେ ତାଙ୍କୁ ଯେପରି ବ୍ୟବହାର କରାଯାଉଛି ତାକୁ ନେଇ ସେ ବହୁତ ଦୁଃଖିତ।

ଦଳ ତାଙ୍କର ଆତ୍ମସମ୍ମାନକୁ ନଷ୍ଟ କରିଛି। ତେଣୁ ସେ ବହୁତ ଅନୁତପ୍ତ। ଚଳିତ ବର୍ଷ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ସୋରେନ ଏବେ ତିନିଟି ବିକଳ୍ପ ମଧ୍ୟରୁ ଗୋଟିଏ ଆପଣାଇବାକୁ ଯାଉଛନ୍ତି ବୋଲି କହିଛନ୍ତି। ଗୋଟିଏ ବିକଳ୍ପ ହେଲା ସେ ରାଜନୀତିରୁ ସନ୍ନ୍ୟାସ ନେବେ।

ଦ୍ବିତୀୟଟି ହେଲା ସେ ନିଜସ୍ବ ଦଳ ଗଠନ କରିବେ। ତୃତୀୟ ବିକଳ୍ପଟି ହେଲା ଅନ୍ୟ ସାଥୀଙ୍କ ସହିତ ସେ ନିଜର ରାଜନୈତିକ ଯାତ୍ରା କରିବେ। ଏହି ବିକଳ୍ପଗୁଡିକ ମଧ୍ୟରୁ ସୋରେନ ତୃତୀୟ ବିକଳ୍ପଟିକୁ ଆପଣାଇବା ନେଇ ଚର୍ଚ୍ଚା ହେଉଛି। ବିଜେପିକୁ ସାଥୀ କରି ସୋରେନ ତାଙ୍କର ନୂଆ ରାଜନୈତିକ କ୍ୟାରିୟର କରିବାକୁ ଯାଉଥିବା କୁହାଯାଉଛି।

ଝାଡଖଣ୍ଡରେ ପାଳନ ହେବାକୁ ଥିବା ହୁଲ୍‌ ଦିବସ ଉତ୍ସବକୁ ଜେଏମଏମ୍ ବାତିଲ କରିଦେଇଥିଲା। ହୁଲ୍‌ ଦିବସ ଉତ୍ସବରେ ଚମ୍ପାଇ ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିଲେ। ଆଦିବାସୀ ନେତା ସିଓ କାହ୍ନୁଙ୍କ ମୃତ୍ୟୁ ଦିବସକୁ ସାନ୍ତାଳମାନେ ହୁଲ୍ ଦିବସ ଭାବେ ପାଳନ କରିଥାନ୍ତି। ଜେଏମଏମ ହୁଲ୍ ଦିବସ ଉତ୍ସବ ବାତିଲ କରିବା ପରେ ଚମ୍ପାଇ ସୋରେନ ବହୁତ କ୍ଷୁବ୍ଧ ହୋଇଛନ୍ତି।

ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ଜେଲ୍‌ ଯିବା ପରେ ଚମ୍ପାଇ ସୋରେନ ମାତ୍ର ୫ମାସ ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେମନ୍ତ ସୋରେନ ଜାମିନରେ ମୁକ୍ତ ହେବା ପରେ ଜୁଲାଇ ୩ରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେମନ୍ତଙ୍କ ଜାମିନ ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଚମ୍ପାଇ ଝାଡଖଣ୍ଡ ସରକାରରେ ଏବେ ଜଳସମ୍ପଦ ମନ୍ତ୍ରୀ ଅଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.