ଭୁବନେଶ୍ବର: -
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ହିଂସାର ପ୍ରଭାବ ବ୍ୟବସାୟ ଓ ବାଣିଜ୍ୟ ଉପରେ ପଡ଼ିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସଡ଼କ, ରେଳ ଏବଂ ବିମାନ ଜରିଆରେ ପରିବହନ ଠପ୍ ହୋଇଯାଇଛି। ଏହି ଅନିଶ୍ଚିତତା କେତେଦିନ ଲାଗି ରହିବ ତାହା ଏବେଠାରୁ କହିବା ସହଜ ନୁହେଁ। ବାଂଲାଦେଶରେ ସେନା ନିଜ ହାତରେ ଶାସନକୁ କେତେଦିନ ରଖିବ ଏବଂ ଗଣତନ୍ତ୍ର କେବେ ଫେରିବ ତାହା ଉପରେ ରାଜନୈତିକ ସ୍ଥିରତା ଫେରିବା ନିର୍ଭର କରୁଛି।
ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ବାଣିଜ୍ୟରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ୨୦୨୩-୨୪ ଆର୍ଥିକବର୍ଷରେ ଓଡ଼ିଶାରୁ ବାଂଲାଦେଶକୁ ପ୍ରାୟ ୫୬୦୦ କୋଟି ଟଙ୍କାର ସାମଗ୍ରୀ ରପ୍ତାନି ହୋଇଛି। ମସୁର, ରସୁଣ, କାଜୁ, ମକା ମଞ୍ଜି, ତୁଳା, ସେରାମିକ୍ ଫାଇବର, ପ୍ଲାଷ୍ଟିକ, ଲୁହା ପାଇପ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଇଞ୍ଜିନୟରିଂ ସାମଗ୍ରୀ ଓ ଅଟୋମୋବାଇଲ ଉପକରଣ ଓଡ଼ିଶାରୁ ରପ୍ତାନି ହୋଇଛି। ସେହିଭଳି ବାଂଲାଦେଶରୁ ଝୋଟଜାତୀୟ ସାମଗ୍ରୀ, ରେଡିମେଡ୍ ପୋଷାକ, ଚମଡ଼ାଜାତୀୟ ସାମଗ୍ରୀ ଓଡ଼ିଶାକୁ ଆମଦାନି ହୋଇଛି। ବାଣିଜ୍ୟିକ ଗୁଇନ୍ଦା ଏବଂ ପରିସଂଖ୍ୟାନ ମହାନିର୍ଦ୍ଦେଶାଳୟ(ଡିଜିସିଆଇଏସ୍)ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଆର୍ଥିକବର୍ଷରେ ଓଡ଼ିଶାରୁ ବାଂଲାଦେଶକୁ ମୋଟ ୫୫୬୧.୯୩ କୋଟି ଟଙ୍କାର ସାମଗ୍ରୀ ରପ୍ତାନି ହୋଇଥିଲା। ଏଥିରେ ୩୫୯୫ କୋଟି ଟଙ୍କାର ହାଇସ୍ପିଡ ଡିଜେଲ, ୧୨୭.୪ କୋଟି ଟଙ୍କା ମୂଲ୍ୟର ବିମାନ ଇନ୍ଧନ, ୪୭ ଲକ୍ଷ ଟଙ୍କା ମୂଲ୍ୟର ରସୁଣ, ୫୭ ଲକ୍ଷ ଟଙ୍କା ମୂଲ୍ୟର ମସୁର, ୯ ଲକ୍ଷ ୧୪ ହଜାରର କାଜୁ, ୧୧ ଲକ୍ଷ ଟଙ୍କାର ମକା ମଞ୍ଜି, ୪୦୦.୫ କୋଟି ଟଙ୍କା ମୂଲ୍ୟର କପା, ୫୨୭.୪ କୋଟି ଟଙ୍କାର ଲୁହାପଥରରୁ ଉତ୍ପାଦିତ ସାମଗ୍ରୀ ଓ ୪୩୫ କୋଟି ଟଙ୍କା ମୂଲ୍ୟର ଆଲୁମିନିୟମ ଇନଗଟ୍ ରହିଥିବା ଜଣାଯାଇଛି। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ରାଜନୈତିକ ଓ ବାଣିଜ୍ୟିକ ସଂପର୍କ ସୁଦୃଢ଼ ହେଉଥିବାରୁ ଆଗାମୀ ଦିନରେ ଦ୍ବିପାକ୍ଷିକ ବାଣିଜ୍ୟ ସମେତ ବାଂଲାଦେଶକୁ ଓଡ଼ିଶାରୁ କରାଯାଉଥିବା ରପ୍ତାନି ଦ୍ରୁତବେଗରେ ବଢ଼ିବ ବୋଲି ଆଶା କରାଯାଉଥିଲା। କିନ୍ତୁ ହଠାତ୍ ତାହା ବିଗିଡ଼ି ଯାଇଛି।
ୟୁସିସିଆଇଏଲ୍ର ସଭାପତି ବ୍ରହ୍ମାନନ୍ଦ ମିଶ୍ରଙ୍କ ମତରେ, ବାଂଲାଦେଶରେ ଦେଖାଦେଇଥିବା ରାଜନୈତକ ସଂକଟର ପ୍ରଭାବ ଓଡ଼ିଶାର ବ୍ୟବସାୟ ଓ ରପ୍ତାନି ଉପରେ ପଡ଼ିବ। ଓଡ଼ିଶା ସହିତ ବାଂଲାଦେଶର ରପ୍ତାନି ଓ ଆମଦାନି ହ୍ରାସ ପାଇବ। ଜାତୀୟସ୍ତରରେ ଅତ୍ୟନ୍ତ ବିଜ୍ଞଭାବେ ଏହି ସମସ୍ୟାର ପରିଚାଳନା କରାଯିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି। ସେହିଭଳି ଉେଦ୍ୟାଗୀ ରାଜେନ ପାଢ଼ୀ କହିଛନ୍ତି, କେବଳ ବାଣିଜ୍ୟିକ ସଂପର୍କ ପ୍ରଭାବିତ ହେବ ନାହିଁ ସାମଜିକ ସ୍ଥିତି ବି ବିିଗିଡ଼ିବା ଆଶଙ୍କାକୁ ଏଡ଼ାଇ ହେବନାହିଁ। ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଓଡ଼ିଶାରେ ଅନେକ ବାଂଲାଦେଶୀ ଶରଣାର୍ଥୀଙ୍କୁ ଆଶ୍ରୟ ଦିଆଯାଇଛି। ତାହା ପୂର୍ବରୁ ତିବ୍ବତୀୟମାନଙ୍କୁ ଚନ୍ଦ୍ରଗିରିଠାରେ ମଧ୍ୟ ରଖାଯାଇ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାର ଆର୍ଥିକ ସହାୟତା ଦେଉଛନ୍ତି। ଯଦି ଆଗାମୀ ଦିନରେ ଏଭଳି ପରିସ୍ଥିତି ଦେଖାଦିଏ ତାହେଲେ ଓଡ଼ିଶାରେ ଥଇଥାନ ହେଉଥିବା ଶରଣାର୍ଥୀମାନେ କାମଧନ୍ଦା ନପାଇ ଅପରାଧୀ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।
ପ୍ରଭାବିତ ହେବେ ୧୨ ବଡ଼ ଭାରତୀୟ କମ୍ପାନି
ନୂଆଦିଲ୍ଲୀ: ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତାର ବଡ଼ ପ୍ରଭାବ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଭାରତର ୧୨ଟି କମ୍ପାନି ଉପରେ ପଡ଼ିବ। ସଫୋଲା ବ୍ରାଣ୍ଡ୍ର ଖାଇବା ତେଲର ମୋଟ ବଜାରଅଂଶରେ ବାଂଲାଦେଶର ଯୋଗଦାନ ପ୍ରାୟ ୧୧ରୁ ୧୨ ପ୍ରତିଶତ ରହିଛି। ତେଣୁ ଏଠାରେ ବିକ୍ରି ପ୍ରଭାବିତ ହେବାର ଆଶଙ୍କାରେ ଉକ୍ତ କମ୍ପାନିର ସେୟାର ମୂଲ୍ୟ ୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେହିଭଳି ଅନ୍ୟ ଯେଉଁ ତାଲିକାଭୁକ୍ତ କମ୍ପାନି ବାଂଲାଦେଶ ପାଇଁ ପ୍ରଭାବିତ ହେବାର ଆଶଙ୍କା ରହିଛି ସେଗୁଡ଼ିକ ହେଲେ ପର୍ଲ ଗ୍ଲୋବାଲ ଇଣ୍ଡଷ୍ଟ୍ରିଜ୍, ଇମାମି, ବେୟର କର୍ପୋରେସନ, ଜିସିପିଏଲ୍, ବ୍ରିଟାନିଆ, ବିକାଶ ଲାଇଫକେୟାର, ଡାବର, ଏସିଆନ୍ ପେଣ୍ଟ୍ସ, ପିଡିଲାଇଟ୍, ଜୁବିଲାଣ୍ଟ ଫୁଡ୍ୱାର୍କସ ଏବଂ ବଜାଜ୍ ଅଟୋ।

.jpeg)