Type Here to Get Search Results !

ଭିଜିଲାନ୍ସ ଜାଲରେ କୁବେର ଅଧୀକ୍ଷଣ ଯନ୍ତ୍ରୀ, ଠାବ ହେଲାଣି ପୁଳାପୁଳା ନଗଦ ଟଙ୍କା ସହ ୧୦୬ଟି ପ୍ଲଟ..

 




ବାଲେଶ୍ବର:-

ସରକାରୀ ଚାକିରି କରି କୁବେର ପାଲଟିଯାଇଛନ୍ତି ଅଧୀକ୍ଷଣ ଯନ୍ତ୍ରୀ। ବାବୁଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା ବିଡ଼ା। ଘର ଭିତରେ ଠୁଳ କରିଛନ୍ତି ଆଖି ଖୋସିଦେବା ପରି ସମ୍ପତ୍ତି। ଓଡିଶା ସମେତ ପଶ୍ଚିମବଙ୍ଗରେବି ବାବୁ ଜମାଇଛନ୍ତି ବଡ଼ ଆଡ୍ଡା। ଆମେ କହୁଛୁ ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ କଥା।

ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ବାବୁଙ୍କର ରହିଛି ଶହେରୁ ଅଧିକ ପ୍ଲଟ। କେବଳ ପ୍ଲଟ ନୁହେଁ, ମାଳ ମାଳ ଫ୍ଲାଟ ଆଉ ବଡ଼ ବଡ଼ କୋଠା ମଧ୍ୟ ବାବୁ ଜଣଙ୍କ ନାଁରେ ରହିଛି। ଆଜି ସକାଳୁ ସକାଳୁ ହୋଇଥିବା ଚଢ଼ାଉରେ ବାବୁଙ୍କର ଏପରି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଛନ୍ତି।

ଖାଲି ସମ୍ପତ୍ତି ନୁହେଁ, ବାବୁଙ୍କ ଘରୁ ସୁନା, ଅଳଙ୍କାର ଓ ପୁଳାପୁଳା ନଗଦ ଟଙ୍କା ବାହାରିଛି। ଅମାପ ସମ୍ପତ୍ତିର ମାଲିକ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ। ଓଡିଶା ସମେତ ପଶ୍ଚିମବଙ୍ଗରେ ରହିଛି ଏହି ବାବୁ ଜଣଙ୍କର ୧୦୬ ଟି ପ୍ଲଟ।

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭୋର ପ୍ରାୟ ୫ଟାରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଭିଜିଲାନ୍ସର ୮ ଜଣିଆ ଟିମ୍‌ ପ୍ରଭାସଙ୍କ ବାଲେଶ୍ୱରରେ ଥିବା ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପ୍ରଭାସଙ୍କର ଜଳେଶ୍ୱରରେ ଥିବା ୫ ମହଲା ଘର ସହ ଜଳେଶ୍ୱରର ଲୋକନାଥପୁରରେ ଥିବା ୧୭ ଏକର ଜାଗାରେ ଫାର୍ମ ହାଉସ ଥିବା ଜଣାପଡିଥିଲା। ଏଥିସହ ଓଡିଶାରେ ଅଧୀକ୍ଷଣ ଯନ୍ତ୍ରୀଙ୍କର ୮୮ଟି ପ୍ଲଟ ଠାବ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ରହିଛି ୧୮ ଟି ପ୍ଲଟ୍‌। ଚଢ଼ାଉ ବେଳେ ପ୍ରଭାସଙ୍କ ଘରୁ ନଗଦ ୧୦ରୁ ୧୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ଜାରି ରହିଥିବା ବେଳେ ବାବୁଙ୍କର ସମସ୍ତ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ। ଏଥିସହ ଭିଜିଲାନ୍ସ ଟିମ୍‌ ବାଲେଶ୍ୱରର କିଛି ଠିକାଦାରଙ୍କ ଘରେ ଚଢ଼ାଉ କରିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜଳସେଚନ ବିଭାଗରେ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି ପ୍ରଭାସ।ପ୍ରଭାସ ୨୦୦୭ ପର୍ଯ୍ୟନ୍ତ ବାଲେଶ୍ୱର ଜଳସେଚନ ବିଭାଗର ଏସଡିଓ ଥିଲେ। ପରେ ପ୍ରମୋସନ ପାଇ ଜଳ ସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ହୋଇପାରିଥିଲେ। ୨୦୨୦-୨୧ ମସିହାରୁ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.