ଯାଜପୁରଟାଉନ/ସଦର: ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୦ ବର୍ଷର କାରାଦଣ୍ଡ ସହିତ ଏକହଜାର ଟଙ୍କା ଜରିମାନା କରିଛନ୍ତି। ଅଭିଯୁକ୍ତ ମଙ୍ଗଳପୁର ଥାନା ଲାଲବାଗ ଗ୍ରାମର ନିର୍ମଳ ମଲ୍ଲିକ(୫୫)। ୨୦୨୧ ସେପ୍ଟେମ୍ବର ୨୦ ତାରିଖ ମଧ୍ୟାହ୍ନରେ ଏହି ଅଞ୍ଚଳର ଜଣେ ନାବାଳିକା ଶୌଚ ପାଇଁ ପଡ଼ିଆକୁ ଯାଇଥିବା ବେଳେ ଅଭିଯୁକ୍ତ ନିର୍ମଳ ତାଙ୍କୁ ଉଠାଇ ନେଇ ଏକ ବୁଦାମୂଳେ ଦୁଷ୍କର୍ମ କରିଥିଲା।
ନାବାଳିକା ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ତାଙ୍କ ମା'ଙ୍କୁ କହିଥିଲେ। ଏନେଇ ତାଙ୍କ ମା' ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ମଙ୍ଗଳପୁର ଥାନା କେସ ନମ୍ବର ୪୫୭/୨୧ ଦଫା ୩୭୬(ଏବି)/୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ମଙ୍ଗଳପୁର ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଶରତ କୁମାର ଦେହୁରୀ ଅଭିଯୁକ୍ତ ନିର୍ମଳକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ହଜାର ଟଙ୍କା ଜରିମାନା ଓ ଅନାଦେୟ ୨ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଇନସେବା ପ୍ରାଧିକରଣ ପକ୍ଷରୁ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ପାର୍ଥ ରାୟ ମାମଲା ପରିଚାଳନା କରିଥିଲେ।

.jpeg)
