ପୁରୀ :-
ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗଙ୍କୁ ଧ୍ୟାନ ନାହିଁ। ଠାକୁରଙ୍କ ମୁଖମଣ୍ଡଳଙ୍କୁ ଗଭୀର ବାଧା ପହଞ୍ଚିଲେ ମଧ୍ୟ କାହାରି ନିଘା ନାହିଁ । ତିନି ଦିନ କାଳ ଠାକୁରେ ରଥାରୂଢ଼ ହୋଇ ଏଭଳି ସ୍ଥିତିରେ ରହିଲେ। ଭକ୍ତ ଓ ସେବକ ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରି ଏଭଳି କ୍ଷୋଭ ପ୍ରକାଶ କଲେ । ତଥାପି ଶ୍ରୀମୁଖ ସିଂହାର ହୋଇପାରିଲା ନାହିଁ।
ମଙ୍ଗଳବାର ପହଣ୍ଡି ବେଳେ ଅଘଟଣ ପରେ ବଡ଼ଠାକୁରଙ୍କ ଶ୍ରୀମୁଖସିଂହାର ଆଲୋଚନାର ବିଷୟ ହୋଇଛି। ଶ୍ରୀବଳଭଦ୍ରଙ୍କ ନେତ୍ର ଉପରକୁ ଚିହ୍ନ ସୁସ୍ପଷ୍ଟ। ଦାରୁଦିଁଅଙ୍କ ଶ୍ରୀମୁଖ ସିଂହାର କରାଇବା ପରିବର୍ତ୍ତେ ଠାକୁରଙ୍କ ନେତ୍ରଙ୍କୁ ଆଢୁଆଳ କରି ପୁଷ୍ପାଳଙ୍କାରରେ ବେଶ କରାଯାଇଛି। ଶ୍ରୀବଳଭଦ୍ରଙ୍କ ବେଶ ଏଭଳି ହୋଇଛି ସେଥିରେ ଠାକୁରଙ୍କ ଦୁଇ ନେତ୍ର ଆଢୁଆଳ କରାଯାଇଛି। ଲୁଚିଯାଇଛି ବଡ଼ଠାକୁରଙ୍କ ଦୁଇ ନେତ୍ରଙ୍କ ଦୁଇ ପାର୍ଶ୍ଵ । କୁହାଗଲା ମୁଖ ମୁଣ୍ଡଳରେ ପହଞ୍ଚିଥିବା ବାଧା (ଚିହ୍ନ)କୁ ଲୁଚାଯିବାକୁ ଏଭଳି ଉଦ୍ୟମ କରାଯାଇଛି। ନେତ୍ର ଉପର ଅଂଶକୁ ପାଟ ବସ୍ତ୍ର ଦ୍ୱାରା ଆଛାଦିତ କରି ଭକ୍ତ ଓ ଭଗବାନଙ୍କ ମିଳନରେ ବାଧା ଉପୁଜିଛି । ମହାପ୍ରଭୁ କାଳିଆ ସାଆନ୍ତଙ୍କ ଶ୍ରୀମୁଖରେ ମଧ୍ୟ ବାଧା ସ୍ପଷ୍ଟ ହେଉଥିଲା ।
କୋଟି କୋଟି ଭକ୍ତଙ୍କ ପ୍ରମୁଖ ଆକର୍ଷଣ ଦାରୁବ୍ରହ୍ମଙ୍କ ଶ୍ରୀମୁଖ । ଚକାଆଖିଙ୍କ ଆକର୍ଷଣରେ କାହିଁ କେତେ ଦୂରରୁ ଧାଇଁ ଆସୁଛି ଭକ୍ତ । ହେଲେ ଠାକୁରଙ୍କୁ ଅବହେଳା ତଥା ଅଣଦେଖା କରି ଅଗଣିତ ଭକ୍ତଙ୍କ ଭାବାବେଗକୁ ପ୍ରଚଣ୍ଡ ଆଘାତ ଦିଆଗଲା । ରଥରେ ଠାକୁରଙ୍କୁ ଦେଖୁଥିବା ଦର୍ଶନାର୍ଥୀ ଓ ସେବକଙ୍କ ପ୍ରତିକ୍ରିୟା ତଥା ସାମାଜିକ ଗଣମାଧ୍ୟମରେ ବୁଲୁଥିବା ଦାରୁଦିଅଁଙ୍କ ଫଟୋ ଏହାର ପ୍ରମାଣ ଦେଉଛି । ଠାକୁରଙ୍କ ତେଜ ହାନି ତଥା ଶ୍ରୀଅଙ୍ଗ ପ୍ରତି ଅବହେଳା ଅସଂଖ୍ୟ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ ହେଲା । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର କୁହନ୍ତି, ଠାକୁରଙ୍କ ବନକଲାଗି ନେଇ ଦତ୍ତମହାପାତ୍ର ଶ୍ରୀମନ୍ଦିର ପ୍ରଶାସନକୁ ପତ୍ର ଦ୍ୱାରା ଅବଗତ କରାଇଥିବା ଖବର ଆମ ପାଖରେ ନାହିଁ । ଚଳିତ ବର୍ଷ ସମୟାଭାବ ଦୃଷ୍ଟିରୁ ଠାକୁରଙ୍କ ବନକଲାଗି ନୀତି ପାଇଁ ଯଥେଷ୍ଟ ସମୟ ନଥିଲା । ଦତ୍ତମହାପାତ୍ର (ଶ୍ରୀମୁଖ ସିଂହାର ତଥା ବନକଲାଗି ସେବକ) ଯଦି ଅନୁରୋଧ କରିଥିଲେ ସେମାନଙ୍କ ମତ ଜାଣିବାର ଥିଲା । ସେମାନଙ୍କ ସହ ଆଲୋଚନା କରାଯାଇ ନଥିଲେ, ତାହା ପ୍ରଶାସନର ଭୁଲ୍ ।
ଶ୍ରୀବଳଭଦ୍ରଙ୍କ ବାଡ଼ର ପ୍ରମୁଖ ଦତ୍ତମହାପାତ୍ର ସେବକ ଧନେଶ୍ୱର ଦତ୍ତମହାପାତ୍ର କୁହନ୍ତି, ଠାକୁରଙ୍କୁ ଏଭଳି ସ୍ଥିତିରେ ଦେଖି ଭକ୍ତ ହେଉ କି ସେବକ ଗଭୀର ଯନ୍ତ୍ରଣା ପାଇଲେ। ଆମେମାନେ ମଧ୍ୟ ବହୁ ପୂର୍ବରୁ ଶ୍ରୀଅଙ୍ଗ ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତାକାରେ ଜଣାଇଛୁ । କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରାଗଲାନି । ମାତ୍ର ୧୫ ମିନିଟ୍ ଆମକୁ ସେବା ପାଇଁ ଦିଆଯାଇଥିଲେ ଠାକୁରଙ୍କ ଶ୍ରୀମୁଖ ସିଂହାର ହୋଇପାରିଥାନ୍ତା ବୋଲି ବନକଲାଗି ସେବକ ଶ୍ରୀ ଦତ୍ତମହାପାତ୍ର କହିଛନ୍ତି ।

.jpeg)