Type Here to Get Search Results !

୧୨୫ କୋଟିରୁ କାହାର ଭାଗ କେତେ: ବିଶ୍ବବିଜେତା ଦଳର ଖେଳାଳିଙ୍କୁ ୫ କୋଟି ଲେଖାଏଁ

 



ନୂଆଦିଲ୍ଲୀ:-

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳ ପାଇଁ ବିସିସିଆଇ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା ବେଳେ ବିଜୟ ଉତ୍ସବ ପାଳନ ସମୟରେ ୱାଙ୍ଖ୍‌ଡ଼େ ଷ୍ଟାଡିୟମ୍‌ରେ ଏହି ଚେକ୍‌ ପ୍ରଦାନ କରାଯାଇଥିଲା। କିନ୍ତୁ ୧୨୫ କୋଟି ଟଙ୍କାରୁ କାହାର ଭାଗ କେତେ ହେବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁରସ୍କାରର ସିଂହଭାଗ ଖେଳାଳି ଓ ପ୍ରଶିକ୍ଷକ ପାଇବେ। ଦଳରେ ଥିବା ୧୫ ଜଣ ଖେଳାଳିଙ୍କୁ ୫ କୋଟି ଲେଖାଏଁ ମିଳିବ। ଅର୍ଥାତ୍‌ ଏକାଦଶରେ ଖେଳିଥିବା ଖେଳାଳିଙ୍କ ବ୍ୟତୀତ ଗୋଟିଏ ବି ମ୍ୟାଚ୍‌ ଖେଳିପାରି ନଥିବା ସଂଜୁ ସାମସନ୍‌, ଯଶସ୍ବୀ ଜୟସ୍ବାଲ ଓ ୟୁଝବେନ୍ଦ୍ର ଚହଲ ମଧ୍ୟ ୫ କୋଟି ଟଙ୍କା ଲେଖାଏଁ ପାଇବେ। ଖେଳାଳିଙ୍କ ବାଦ୍‌ ମୁଖ୍ୟପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମଧ୍ୟ ୫ କୋଟି ଟଙ୍କା ପାଇବେ।

ଏମାନଙ୍କ ଛଡ଼ା ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋଡ଼, କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପ, ବୋଲିଂ ପ୍ରଶିକ୍ଷକ ପାରସ୍‌ ମହାମ୍ବ୍ରେ ୨.୫ କୋଟି ଲେଖାଏଁ ପାଇବାକୁ ଥିବା ବେଳେ ୫ ଚୟନକର୍ତ୍ତାଙ୍କୁ ୧ କୋଟି ଲେଖାଏଁ ମିଳିବ। ଏହାଛଡ଼ା ୪ ସଂରକ୍ଷିତ ଖେଳାଳି ରିଙ୍କୁ ସିଂହ, ଶୁବମନ ଗିଲ୍‌, ଆୱେସ ‌ଖାନ୍‌ ଓ ଖଲିଲ ଅହମଦ ମଧ୍ୟ ୧ କୋଟି ଟଙ୍କା ଲେଖାଏଁ ଦିଆଯିବାକୁ ସ୍ଥିର ହୋଇଛି। ଏମାନଙ୍କ ବ୍ୟତୀତ ଦଳ ସହିତ ଯାଇଥିବା ତିନି ଫିଜିଓଥେରାପିଷ୍ଟ କମଳେଶ ଜୈନ, ୟୋଗେଶ ପରମାର, ତୁଳସୀ ରାମ ଯୁବରାଜ, ତିନି ଥ୍ରୋ ଡାଉନ୍‌ ସ୍ପେସାଲିଷ୍ଟ ରାଘବିନ୍ଦ୍ର ଦିଭ୍‌ଗି, ନୂୱାନ ଉଦେନେକେ ଓ ଦୟାନନ୍ଦ ଗରାନି, ଦୁଇ ମାଲିସବାଲା ରାଜୀବ କୁମାର ଓ ଅରୁଣ କାନାଡ଼େ, ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ ପ୍ରଶିକ୍ଷକ ସୋହମ ଦେଶାଇଙ୍କ ସହିତ ଭିଡିଓ ଆନାଲିଷ୍ଟ, ମିଡିଆ ଅଧିକାରୀ, ଲଜିଷ୍ଟିକ୍‌ସ ମ୍ୟାନେଜର, ଦଳୀୟ ମ୍ୟାନେଜର ଓ ଅନ୍ୟାନ୍ୟ ସହାୟକଙ୍କ ମଧ୍ୟରେ ଏହି ପୁରସ୍କାର ବାଣ୍ଟି ଦିଆଯିବ। ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ହୋଇଥିବା ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସଂସ୍କରଣରେ ଭାରତୀୟ ଦଳ ସହିତ ମୋଟ ୪୨ ଜଣ ସଦସ୍ୟ ଯାଇଥିଲେ। ସମସ୍ତଙ୍କୁ ପୁରସ୍କାରର ଭାଗ ଦିଆଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ସମସ୍ତେ ରସିଦ ଦାଖଲ କରିବାକୁ ବିସିସିଆଇ ନିର୍ଦ୍ଦେଶ ଦେଇଥିବା ଜଣେ ଅଧିକାରୀ କହିଛନ୍ତି। ବିସିସିଆଇର ୧୨୫ କୋଟି ଟଙ୍କା ସହିତ ମହାରାଷ୍ଟ୍ର ସରକାର ମଧ୍ୟ ୧୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ପୂର୍ବରୁ ୨୦୧୩ରେ ଯେତେବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା, ସେତେବେଳେ ବିସିସିଆଇ ପ୍ରତ୍ୟେକ ଖେଳାଳିଙ୍କ ପିଛା ୧ କୋଟି ଟଙ୍କା, ସହାୟକ ପ୍ରଶିକ୍ଷକ ମଣ୍ଡଳୀଙ୍କ ପାଇଁ ୩୦ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲା। ୨୦୧୧ରେ ଧୋନିଙ୍କ ନେତୃତ୍ବରେ ଭାରତ ଦିନିକିଆ ବିଶ୍ବକପ୍‌ ଜିତିବା ପରେ ପ୍ରତ୍ୟେକ ଖେଳାଳିଙ୍କ ପିଛା ୧ କୋଟି ଟଙ୍କା ଲେଖାଏଁ ଘୋଷଣା କରାଯାଇଥିଲା। ପରେ ତାହାକୁ ୨ କୋଟିକୁ ବୃଦ୍ଧି କରାଯାଇଥିଲା। ସହାୟକ ପ୍ରଶିକ୍ଷକମାନଙ୍କ ପାଇଁ ୫୦ ଲକ୍ଷ ଲେଖାଏଁ ଓ ଚୟନକର୍ତ୍ତାଙ୍କୁ ୨୫ ଲକ୍ଷ ଲେଖାଏଁ ଦିଆଯାଇଥିଲା। ୨୦୦୭ରେ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ପରେ ଭାରତୀୟ ଦଳକୁ ୧୨ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା। କିନ୍ତୁ ୧୯୮୩ରେ ଭାରତ ପ୍ରଥମ ଥର ବିଶ୍ବକପ୍‌ ବିଜେତା ହୋଇଥିଲା ବେଳେ ବିସିସିଆଇ ପାଖରେ ପୁରସ୍କାର ଦେବା ପାଇଁ କୌଣସି ସମ୍ବଳ ନଥିଲା। ଏଥିପାଇଁ ବିସିସିଆଇର ଅନୁରୋଧକ୍ରମେ ଲତା ‌ମଙ୍ଗେସକର ମ୍ୟୁଜିକ କନସର୍ଟ ଆୟୋଜନ କରି ପାଣ୍ଠି ସଂଗ୍ରହ କରିଥିଲେ।

ବିଜୟ ଉତ୍ସବ ପାଳନ ପାଇଁ ମାଳଦ୍ବୀପର ନିମନ୍ତ୍ରଣ



ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିଥିବା ଭାରତୀୟ ଦଳ ସହିତ ବିଜୟ ଉତ୍ସବ ପାଳନ କରିବା ପାଇଁ ମାଳଦ୍ବୀପ ପର୍ଯ୍ୟଟନ ପକ୍ଷରୁ ଭାରତୀୟ ଦଳକୁ ନିମନ୍ତ୍ରଣ କରାଯାଇଛି। ଦେଶର ପର୍ଯ୍ୟଟନ ସଂଘ (ଏମ୍‌ଏଟିଆଇ) ଏବଂ ଏହାର ମାର୍କେଟିଂ ଓ ଲୋକ ସଂପର୍କ ସଂସ୍ଥା (ଏମ୍‌ଏମ୍‌ପିଆର୍‌ସି) ପକ୍ଷରୁ ମଳିତ ଭାବେ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତୀୟ ଖେଳାଳିମାନେ ଏଠାକୁ ଆସିଲେ ସେମାନଙ୍କ ରହଣି ମଧ୍ୟରେ ଅନେକ ସ୍ମରଣୀୟ ମୁହୂର୍ତ୍ତକୁ ଉପଭୋଗ କରିବେ। ଏଥିସହିତ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଓ କ୍ରୀଡ଼ାଭିତ୍ତିକ ସଂପର୍କ ଅଧିକ ଶକ୍ତ ହୋଇପାରିବ। ଏମ୍‌ଏମ୍‌ପିଆର୍‌ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ଇବ୍ରାହିମ୍‌ ସିଉରି ଓ ଏମ୍‌ଏଟିଆଇର ସାଧାରଣ ସମ୍ପାଦକ ଅହମଦ ନଜିରଙ୍କ କହିବାନୁସାରେ, ସେମାନେ ଭାରତୀୟ ଖେଳାଳିଙ୍କୁ ପାଛୋଟି ନେବାକୁ ଅପେକ୍ଷା କରିଛନ୍ତି। ଭାରତୀୟ ଖେଳାଳିଙ୍କୁ ଦିଲ୍ଲୀ ଓ ମୁମ୍ବାଇରେ ଯେଉଁଭଳି ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ମାଳଦ୍ବୀପରେ ମଧ୍ୟ ଏକ ସୁଖଦ ଅନୁଭୂତି ସେମାନଙ୍କ ପାଇଁ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଦୀପପୁଞ୍ଜ ଲକ୍ଷଦୀପର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଘୋଷଣା କରିବା ପରେ ମାଳଦ୍ବୀପ ଓ ଭାରତ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥିଲା। ଯାହାଫଳରେ ମାଳଦ୍ବୀପର ପର୍ଯ୍ୟଟନକୁ ବହୁ ମାତ୍ରାରେ କ୍ଷତି ସହିବାକୁ ପଡ଼ିଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.