ଭୁବନେଶ୍ବର:-
ଓଡ଼ିଶାରେ ଆଉ ଏକ ନୂଆ ପାୱାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି। ସିଙ୍ଗାରେନି କଲିଅରିଜ୍ କମ୍ପାନି ଲିମିଟେଡ୍ (ଏସ୍ସିସିଏଲ୍) ଏହି ପ୍ଲାଣ୍ଟ ସ୍ଥାପନ କରିବା ଉପରେ ବିଚାର କରୁଛି। କମ୍ପାନିକୁ ଛେଣ୍ଡିପଦାରେ ଆବଣ୍ଟନ କରାଯାଇଥିବା ନଇନି କୋଇଲା ଖଣି ପାଖାପାଖି ଅଞ୍ଚଳରେ ସେହି ପ୍ଲାଣ୍ଟକୁ ସ୍ଥାପନ କରାଯିବ। ଦୀର୍ଘଦିନ ଧରି ପ୍ରଶାସନିକ ଅବହେଳାର ଶିକାର ହୋଇ ନଇନି କୋଇଲା ଖଣି କାର୍ଯ୍ୟକ୍ଷମ ହୋଇପାରୁନଥିଲା।
ନଇନି କୋଇଲା ଖଣିରେ ୩୪୦.୭୮ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି। ୨୦୨୪-୨୫ରେ ସେଥିରୁ ପାଞ୍ଚ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଯୋଜନା ରହିଛି। ଆସନ୍ତା ତିନି ବର୍ଷ ଭିତରେ ଖଣିର ଉତ୍ପାଦନ କ୍ଷମତାକୁ ପର୍ଯ୍ୟାୟକ୍ରମେ ବୃଦ୍ଧି କରି ୨୦୨୬ ସୁଦ୍ଧା ୧୦ ନିୟୁତ ଟନ୍ କରାଯିବ। ଏହି ହାରରେ କୋଇଲା ଉତ୍ପାଦନ ଜାରି ରହିଲେ ଆସନ୍ତା ୪୫-୪୦ ବର୍ଷ ପର୍ଯ୍ୟନ୍ତ ଉକ୍ତ ଖଣିରୁ କୋଇଲା ଉତ୍ପାଦନ କରାଯାଇପାରିବ ବୋଲି ଜଣାପଡ଼ିଛି। ସିଙ୍ଗାରେନିକୁ ୨୦୧୫ ଅଗଷ୍ଟ ୧୩ରେ ନଇନି କୋଇଲା ଖଣି ଆବଣ୍ଟନ କରାଯାଇଥିଲା। ୨୦୨୨ ଅକ୍ଟୋବର ସୁଦ୍ଧା ଏହା ଷ୍ଟେଜ୍-୨ ଜଙ୍ଗଲ ମଞ୍ଜୁରି ହାସଲ କରିଥିଲା। ମାତ୍ର ଜଙ୍ଗଲ ଜମି ହସ୍ତାନ୍ତରରେ ଅହେତୁକ ବିଳମ୍ବ ହୋଇଥିଲା। ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ 'ବନ୍ୟଜନ୍ତୁ ପରିଚାଳନା ଯୋଜନା' ପ୍ରସ୍ତୁତ କରାଯାଇନଥିବାରୁ ଓଡ଼ିଶା ସରକାର ପ୍ରକଳ୍ପକୁ ପୂର୍ଣ୍ଣ ମଞ୍ଜୁରୀ ଦେଇନଥିଲେ। ଜୁନ୍ ମାସରେ ସିଙ୍ଗାରେନିର ସିଏମ୍ଡି ଏନ୍ ବଳରାମ ଓଡ଼ିଶା ଗସ୍ତରେ ଆସି ପୂର୍ବତନ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଭେଟି ଖଣି ଓ ପ୍ରସ୍ତାବିତ ପାୱାର ପ୍ଲାଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ। ସେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ମଧ୍ୟ ଭେଟିଥିଲେ। ପାୱାର ପ୍ଲାଣ୍ଟ ସ୍ଥାପନ ଲାଗି ଖଣି ପାଖାପାଖି ଅଞ୍ଚଳରେ ୮୦୦ ଏକରରୁ ଅଧିକ ଜମି ଯୋଗାଇ ଦେବାକୁ ସେ ସଚିବଙ୍କ ଅନୁରୋଧ କରିଥିଲେ।

.jpeg)
