ଝାରସୁଗୁଡା : -
ଜୁଲାଇ ୨୬ ତାରିଖ, ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। କାର୍ଗିଲ ବିଜୟ ଦିବସ। ଭାରତୀୟ ସୈନିକ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ନିଦର୍ଶନ ପ୍ରଦର୍ଶନ କରିଥିଲେ। ୧୯୯୯ ମସିହା ମେ ମାସରୁ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୨୬ ତାରିଖରେ କାର୍ଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇଥିଲେ ଭାରତୀୟ ସୈନିକ। ତେବେ କାର୍ଗିଲ ବିଜୟ ଦିବସରେ ସହିଦ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହା ଏକ ସ୍ମରଣୀୟ ଦିନ। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ ଜନତା ପୁରୁଣା ବସଷ୍ଟାଣ୍ଡ ଠାରୁ ମଶାଳ ଶୋଭାଯାତ୍ରାରେ ସାମିଲ ହୋଇ ସତସଙ୍ଗ ଭବନ ପର୍ଯ୍ୟନ୍ତ ଯାଇଥିଲେ। ସତସଙ୍ଗ ଭବନରେ ପ୍ରଥମେ ପୂର୍ବ ସୈନିକ ରାଜେଶ ପଟେଲ, ମେଜର ପ୍ରଦୀପ ମହାନ୍ତି, ହୃଷିକେଶ କିଷାନ, ବାବଳୁ ଖର୍ସେଲ,ରାହାସ ବିହାରୀ ସେଠ୍, ଚିତ୍ରସେନ ସାହୁଙ୍କୁ ସମ୍ମାନିତ କରିଥିଲେ ବିଧାୟକ ଟଙ୍କଧର ଓ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ। ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଧାୟକ ଟଙ୍କଧର କହିଛନ୍ତି ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାଇ ପାକିସ୍ତାନ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ଲାହୋର ପର୍ଯ୍ୟନ୍ତ ବସ ଯାତ୍ରା କରିଥିଲେ। ହେଲେ ପାକିସ୍ତାନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରି କାର୍ଗିଲ ଉପରେ ଆକ୍ରମଣ କରିଥିଲା। ଭାରତୀୟ ବୀର ସୈନିକଙ୍କ ବଳିଦାନ ଯୋଗୁଁ ପାକିସ୍ତାନ ସୈନିକ କାର୍ଗିଲ ଛାଡି ପଳାୟନ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଆଜି ଭାରତ ବିରୁଦ୍ଧରେ ଶତୃ ଦେଶ ଷଡ଼ଯନ୍ତ୍ର କରିବା ପାଇଁ ଚିନ୍ତା ସୁଦ୍ଧା କରି ପାରୁନାହାନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ କିଛି ସମୟ ମଧ୍ୟରେ ଏୟାର ଫୋର୍ସ ପାଇଲଟ ଅଭିନନ୍ଦନ ଙ୍କୁ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲା ପାକିସ୍ତାନ ବୋଲି ବିଧାୟକ ତ୍ରିପାଠୀ କହିଛନ୍ତି। ଆଜିର ଏହି କାର୍ଗିଲ ବିଜୟ ଦିବସ କାର୍ଯ୍ୟକ୍ରମରେ ବିଧାୟକ ତ୍ରିପାଠୀ ଙ୍କ ସହିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲା ବିଜେପି ସଭାପତି ସୁନୀଲ ପଣ୍ଡା, ପ୍ରେମସେନ ରାଏ, ବିମଳେନ୍ଦୁ ଭୋଲ, ବିଶ୍ୱଜିତ ଷଡ଼ଙ୍ଗୀ, ଦିଲେଶ୍ଵର ରାଓ, ବିଜୟ ଶର୍ମା, ତାଜରାମ ସାହୁ ପ୍ରମୁଖଙ୍କ ସହିତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।


