ଲୋକଶ୍ରୁତି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାରଘରର ରକ୍ଷକ ସ୍ୱୟଂ ପ୍ରଭୁ ଲୋକନାଥ। ସେଥିପାଇଁ ବିଷଧର ସାପସବୁ ଶ୍ରୀଜିଉଙ୍କ ଭଣ୍ଡାରଘରକୁ ଯଗି ରହିଥିବା ନେଇ ଲୋକମୁଖରୁ ଶୁଣାଯାଏ। ତେଣୁ ସରକାରଙ୍କ ଦ୍ବାରା ଚୟନ କମିଟିରେ ଥିବା ରତ୍ନଭଣ୍ଡାର ସବ୍-କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ଫୋନ ପାଇବା ପରେ ଖୁସି ହୋଇଥିଲେ ସତ, କିନ୍ତୁ ପରିବାର ଲୋକଙ୍କ ଭିତରେ ଭୟ ବଢି ଯାଇଥିଲା।
ଚାବିରେ ଭିତର ରତ୍ନଭଣ୍ଡାର ନଖୋଲିବାରୁ ତାଲା ଭାଙ୍ଗି ପ୍ରବେଶ କରିଥିଲେ ଟିମ୍ । ଆଉ ସମସ୍ତେ ପ୍ରଥମେ ଡାହାଣ ଗୋଡ ପକାଇ ଭିତର ଭଣ୍ଡାରକୁ ପ୍ରବେଶ କରିବାକୁ ନିଷ୍ପତ୍ତି କଲେ । ଠଣାର ପ୍ରତିକାତ୍ମକ ଚିତ୍ର… ଭିତର ଭଣ୍ଡାର ଖୋଲି ପ୍ରବେଶ କରିବା ପରେ ଲାଇଟ ପକାଇ ଦେଖିଥିଲେ । ଏତିକିବେଳେ ତାଙ୍କର ପ୍ରଥମେ ନଜର ପଡିଥିଲା କୋଠରୀ ଭିତରେ ଥିବା ଏକ ଠଣା ଉପରେ । ଯେଉଁଥିରେ ଏକାଧିକ ଛୋଟଛୋଟ ଦେବାଦେବୀଙ୍କ ମୂର୍ତ୍ତି ରହିଥିଲା । ଦୀର୍ଘଦିନ ଧରି ମୂର୍ତ୍ତିଗୁଡିକ ରହିଥିବାରୁ ମଳିନ ପଡି କଳା ହୋଇଯାଇଥିଲା । ଏହାପରେ କୋଠରୀ ଭିତରେ ଏକାଧିକ ଆଲମାରୀ ଓ ସିନ୍ଦୁକ ଥିବା ସେ ଦେଖିଛନ୍ତି । କିଛି କାଠରେ ନିର୍ମିତ ଓ କିଛି ଲୁହାରେ ତିଆରି ଆଲମାରୀ ଓ ସିନ୍ଦୁକ । ଭିତର ଭଣ୍ଡାରରେ ଥିବା ସିନ୍ଦୁକଗୁଡିକ ମଧ୍ୟ ବ୍ରିଟିସ ଅମଳର ସିନ୍ଦୁକ ପରି । କିନ୍ତୁ ସେଗୁଡିକୁ ହାତ ମାରିନାହାନ୍ତି କମିଟି ସଦସ୍ୟ ।
ତେବେ ୧୧ ଜଣ ସଦସ୍ୟ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯାଇ ସୁରକ୍ଷିତ ଫେରିଆସିବା ପରେ ସବୁ ଲୋକଶ୍ରୁତି ଭୁଲ ପ୍ରମାଣିତ ହୋଇଛି । ତଥାପି ମରାମତି ସହ ରତ୍ନ ଅଳଙ୍କାରର ଗଣତି ଓ ମଣତି ପାଇଁ ଦିନ ଧାର୍ୟ୍ୟ ହେଲେ ଓ ଟିମ୍ ପୁଣି ଭିତରକୁ ଗଲେ ଆଉକିଛି ରହସ୍ୟ ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି ।

.jpeg)
