Type Here to Get Search Results !

ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ

 





ଭୁବନେଶ୍ୱର:-

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁ ରାଜ୍ୟରେ ବର୍ଷା ବଢ଼ିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି ଗତ ୨୪ ଘଣ୍ଟାରେ । ଏବେ ବର୍ଷା ବଢ଼ିବ ଉତ୍ତର ଓଡ଼ିଶାରେ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି । ଶୁକ୍ରବାର ରାଜ୍ୟର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବି ହୋଇପାରେ ।

ଏ ନେଇ ସତର୍କତାମୂଳକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ଚେତାଇ ଦେଇଛି ।

ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପାଣିପାଗ ପୂର୍ବାନୁମାନ ଅନୁସାରେ ଆଗକୁ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଲଘୁଚାପରେ ପରିଣତ ହେବାର କମ୍ ସମ୍ଭାବନା ରହିଛି । ତଥାପି ରାଜ୍ୟରେ ଆଗକୁ ଭଲ ବର୍ଷା ହୋଇପାରେ । ବିଶେଷ କରି ୩୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଜୁଲାଇ ୪ରୁ ୧୧ ଭିତରେ ବି ବର୍ଷା ପରିମାଣ ଭଲ ରହିପାରେ ।

ଶୁକ୍ରବାର ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ହୋଇପାରେ । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା (୬୪.୫ ମିମିରୁ ୧୧୫ ମିମି ପର୍ଯ୍ୟନ୍ତ)ସମ୍ଭାବନା ଅଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର (୧୧୫ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ)ବର୍ଷା ହୋଇପାରେ ।

ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବି ହୋଇପାରେ ।

ଶନିବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଉପକୂଳର ଅନେକ ଜାଗାରେ ବି ବର୍ଷା ହୋଇପାରେ । ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧରେ ପ୍ରବଳ ଓ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ରବିବାର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଓ ଉପକୂଳର ଅଳ୍ପ କିଛି ଜାଗାରେ ବର୍ଷା ହୋଇପାରେ । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସୋମବାର (୧ ତାରିଖ) ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣର ଅଳ୍ପ କିଛି ଜିଲ୍ଲାରେ ବର୍ଷା ହେବ । ୨ ତାରିଖ (ମଙ୍ଗଳବାର) ଓ ୩ ତାରିଖ ବର୍ଷା ସମ୍ଭାବନା ଥିଲେ ମଧ୍ୟ ପରିମାଣ କମିପାରେ ।

ଗତ ୨୪ ଘଣ୍ଟା ଭିତରେ (ସକାଳ ୮ଟା ୩୦ ସୁଦ୍ଧା) କୋଟପାଡ଼ରେ ୧୫୨ ମିଲିମିଟର, ଜି.ଉଦୟଗିରିରେ ୧୦୯ ମିଲିମିଟର, ପାପଡ଼ାହାଣ୍ଡିରେ ୧୦୩ ମିମି, ପାରଳାଖେମୁଣ୍ଡିରେ ୬୯ ମିମି, ଜୟପୁରରେ ୭୨, ବୋରିଗୁମ୍ମାରେ ୮୦, ବାଲିଗୁଡ଼ାରେ ୫୬, ଶିମିଳିଗୁଡ଼ାରେ ୫୫, ଚିତ୍ରକୋଣ୍ଡା (କେ.ଗୁମ୍ମା) ୬୮, ଡାବୁଗାଁରେ ୭୦, ନବରଙ୍ଗପୁରରେ ୮୨, କୋସାଗୁମୁଡାରେ ୫୭, କୋରାପୁଟରେ ୬୫.୪ ମିମି ବର୍ଷା ହୋଇଥିବାବେଳେ ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି ।

ଗୁରୁବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଭିତରେ ନୟାଗଡ଼ରେ ୪୪, ମାଲକାନଗିରିରେ ୪୭.୨, କଟକରେ ୧୫.୪, ଖୋର୍ଦ୍ଧାରେ ୪୬, ଯାଜପୁରରେ ୧୨ ମିମି ବର୍ଷା ହୋଇଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଝିପିଝିପି ଓ ଅସରାଏ ଲେଖାଏଁ ବର୍ଷା ହୋଇଛି ।




ବର୍ଷା ଯୋଗୁ ରାଜ୍ୟରେ ତାତି କମିଯାଇଛି । ସୋନପୁର ଓ ବରଗଡ଼ ତାପମାତ୍ରା ୩୭ ଡିଗ୍ରୀ ଟପିଥିବାବେଳେ ସମ୍ବଲପୁର ୩୬.୭ ଡିଗ୍ରୀ ସେଲସିୟସ୍ ଥିଲା । ଆର୍ଦ୍ରତା ପରିମାଣ ଅଧିକ ଥିବାରୁ ଉପକୂଳରେ ଏବେ ବି ଗୁଳୁଗୁଳି ପ୍ରକୋପ ରହିଛି । ରାଜ୍ୟରେ ଏବେ ବି (ଜୁନ୍ ପହିଲାରୁ ଏଯାଏଁ) ୩୯% ବର୍ଷା ନିଅଣ୍ଟିଆ ରହିଛି । ଏଯାବତ୍ ହାରାହାରି ବର୍ଷା ପରିମାଣ ୧୧୧.୧ ମିଲିମିଟର ରହିଛି । କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଢେଙ୍କାନାଳ, କଟକ, ଜଗତସିଂହପୁରକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ନିଅଣ୍ଟିଆ ଥିଲା ଗୁରୁବାର ସକାଳ ସୁଦ୍ଧା । ଆଉ ଦୁଇଦିନର ବର୍ଷା ପରେ ସ୍ଥିତିରେ ଆହୁରି ସୁଧାର ଆସିପାରେ । ଏବେ ମୌସୁମୀ ସକ୍ରିୟ ଥିବାରୁ ଚାଷ କାର୍ଯ୍ୟ ଆଗେଇବା ନେଇ ଚାଷୀ ମନରେ ଆଶା ସଞ୍ଚାର ହୋଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.