ମୁମ୍ବାଇ :-
ପ୍ରେମିକାଙ୍କୁ ଜନଗହଳିପୂର୍ଣ୍ଣ ରାସ୍ତାରେ ପିଟିପିଟି ହତ୍ୟା କରିଛି ପ୍ରେମିକ। ଏହି ବର୍ବର ହତ୍ୟାକାଣ୍ଡ ଘଟିବା ସମୟରେ ଅନେକ ଲୋକ ଏହା ଦେଖୁଥିଲେ ମଧ୍ୟ କେହି ଆକ୍ରମଣକାରୀକୁ ଅଟକାଇବାକୁ ଚେଷ୍ଟା କରିନଥିଲେ। ସୂଚନାନୁସାରେ, ସବୁଦିନ ଭଳି ରୋହିତ ଯାଦବ(୩୨) ଓ ନିଜର ପୂର୍ବ ପ୍ରେମିକା ଆରତୀ ଯାଦବ (୨୨) ନିଜ ନିଜ କର୍ମକ୍ଷେତ୍ରକୁ ଯାଉଥିଲେ।
ମୃତ ଆରତୀଙ୍କ ସାନ ଭଉଣୀ ଘଟଣା ସମ୍ପର୍କରେ କହିଛନ୍ତି ଯେ ରୋହିତ ଗତ ଦୁଇ ଦିନ ଧରି ତାଙ୍କ ଭଉଣୀଙ୍କୁ ଆକ୍ରମଣ କରୁଥିଲା। ଶନିବାର, ଆରତୀଙ୍କୁ ବାଡ଼େଇବା ସହ ମୋବାଇଲ୍ ଭାଙ୍ଗି ଦେଇଥିଲା। ଏନେଇ ସେମାନେ ଭାଲିବ୍ ପୁଲିସ୍ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ସେଠାର ପୁଲିସ କିଛି ହେବନାହିଁ ବୋଲି କହି ଫେରାଇ ଦେଇଥିଲା।
ରବିବାର ଅପରାହ୍ଣରେ ପୁଣିଥରେ ରୋହିତ ଆକ୍ରମଣ କରିଥିଲା ଓ ସେମାନେ ପୁଣି ଥରେ ପୁଲିସ ଥାନାକୁ ଯାଇଥିଲେ। ଥାନାକୁ ଡକାଇ ପୁଲିସ ରୋହିତକୁ ପିଟିଥିଲା ଓ କିଛି ସମୟ ପରେ ଛାଡ଼ିଦେଇଥିଲା। ପୁଲିସ କହିଛି, ରୋହିତ ଓ ଆରତୀ ଉଭୟ ପଡ଼ୋଶୀ ଅଟନ୍ତି। ଉଭୟଙ୍କ ମଧ୍ୟରେ ଦୁଇ-ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ ଗତ କିଛିଦିନ ଧରି ଆରତୀ ରୋହିତ ଠାରୁ ଦୂରେଇ ରହୁଥିଲା। ଅନ୍ୟଜଣଙ୍କ ପ୍ରେମରେ ପଡ଼ି ଆରତୀ ଏଭଳି ଅଣଦେଖା କରୁଛି ବୋଲି ରୋହିତ ସନ୍ଦେହ କରି ଏଭଳି ଜଘନ୍ୟ ହତ୍ୟା ଘଟାଇଛି ।