ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ ଏହି ଫୁଲୁରୀ ତେଲ । ଘଣାପେଡା ରାଶି ତେଲ ସହ ୨୪ଟି ଉପାଦାନରେ ତିଆରି ହୋଇଥାଏ ଏହି ଫୁଲୁରୀ ତେଲ । ସ୍ନାନ ପରେ ଜ୍ୱରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ଅଣସର ବାସରେ ରହିବା ପରେ ଚାଲିଛି ଉପଚାର ।
ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି ।ବୈଦ୍ୟଙ୍କ ପରାମର୍ଶକ୍ରମେ ଜ୍ୱର ପୀଡିତ ମହାପ୍ରଭୁଙ୍କୁ ଦିଆଯାଉଛି ପଥି । ବଡ ଓଡିଆ ମଠ ପକ୍ଷରୁ ପ୍ରତିବର୍ଷ ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟିତଳେ ପୋତା ଯାଇଥାଏ।
ଦେବସ୍ନାନ ପୂର୍ଣ୍ଣମୀ ଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇ ଅଣସରର ପଞ୍ଚମୀ ଦିନ ତେଲକୁ ଛଣାଯାଏ ଏବଂ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ । ବଡ ଓଡିଆ ମଠର ସଦସ୍ୟ ମାନେ ପ୍ରାୟ ଫୁଲୁରି ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅପର୍ଣ କରିଥାନ୍ତି ।
ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଦ୍ୱାର ଖୋଲାଯାଇ ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ପତି ମହାପାତ୍ର ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଏହାଦ୍ୱାରା ମହାପ୍ରଭୁଙ୍କ ଶରୀରର ପୀଡା କମ୍ ହୋଇଥାଏ ।
ଘଣାପେଡ଼ା ରାଶିତେଲରେ ବେଣାଚେର, ମାଳତି, କିଆ, କେତକୀ, ବଉଳଫୁଲ ଭଳି ସ୍ୱତନ୍ତ୍ର ସୁବାସିତ ଫୁଲ ଓ ୮ ପ୍ରକାର ଚେରମୂଳି ପକାଯାଇ ପ୍ରସ୍ତୁତ କରାଯାଏ । ପଞ୍ଚମୀ ତିଥିରେ ଅର୍ଥାତ୍ ଆଜି ଏହାକୁ ମଠ ପକ୍ଷରୁ ଶ୍ରୀମନ୍ଦିର ନିଆଯିବା ପରେ ଦଇତାପତିମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଏହି ତେଲଲାଗି ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଥାନ୍ତି ।
ସେପଟେ ଶ୍ରୀକ୍ଷେତ୍ରରେ ରଥ ଖଳା ମଧ୍ୟ ଚଳଚଞ୍ଚଳ । ଜୋରସୋରରେ ଚାଲିଛି ତିନି ରଥ ନିର୍ମାଣ କାମ । ସେହିପରି ପୁରୀରେ ରଥଯାତ୍ରା ଦେଖିବେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥର ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବେ । ଜୁଲାଇ ୬ରୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ୯ ତାରିଖ ଯାଏ ରହିବେ । ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିଦିନ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବେ । ୭ ତାରିଖରେ ଯିବେ ପୁରୀ ।
ରଥଯାତ୍ରା ଦେଖିବା ପରେ ରାଷ୍ଟ୍ରପତି ୮ ତାରିଖରେ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ କରିବେ । ସେଦିନ ଅପରାହ୍ନରେ ଡିଭାଇନ୍ ରିଟ୍ରିଟ୍ ସେଣ୍ଟର ଉଦଘାଟନ କରିବେ । ୯ ତାରିଖ ପୂର୍ବାହ୍ନରେ ନାଇଜର୍ କାର୍ଯ୍ୟକ୍ରମରେ ଯୋଗବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ଅପରାହ୍ଣରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ ।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ରୁଟ୍ ଲାଇନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ଆଜି ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ । ପୁରୀ ଟାଉନ୍ ହଲ ପରିସରରେ ଦିନ ୧୧ଟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରାରେ ନୀତିକାନ୍ତି ଅନୁଷ୍ଠିତ ହେବ ।
ଆସନ୍ତା ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ ବୋଲି ଛତିଶା ନିଯୋଗରେ ନିଷ୍ପତ୍ତି ନିଆଯାଇଥିଲା । ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ । ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ରେ ଅନୁଷ୍ଠିତ ହେବ ।
ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ । ଜୁଲାଇ ୭ରେ ରାତି ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତି କାନ୍ତି ବଢ଼ି ସକାଳ ୭ଟା ୩୦ ରୁ ୧୨ଟା ୩୦ ମଧ୍ୟରେ ସେନାପଟା ଲାଗି ହେବ । ଦିନ ୧୧ଟାରେ ରଥ ପ୍ରତିଷ୍ଠା, ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ୨ଟା ୩୦ରେ ପହଣ୍ଡି ଶେଷ ହେବ ।
ଏହାପରେ ଅପରାହ୍ନ ୪ଟାରେ ଗଜପତିଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବାପରେ ଅପରାହ୍ନ ୫ଟା ରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ରହିଛି । ଚଳିତ ବର୍ଷ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କିଭଳି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ସମସ୍ତଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ ।


