Type Here to Get Search Results !

ସ୍କୁଲରେ ପାଣି ପିଇବାକୁ ବାଜିବ ଘଣ୍ଟି...

 


ଭୁବନେଶ୍ୱର :-

ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି। ଜଳ ବିରତି ଘଣ୍ଟି ବଜାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ନିଷ୍ପତ୍ତି। ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଚିଠି କରାଯାଇଛି। ତାପମାତ୍ରା ବୃଦ୍ଧି ହେତୁ ନିର୍ଜଳୀକରଣ (ଡିହାଇଡ୍ରେସନ) ଜନିତ ସମସ୍ୟାକୁ ପୂର୍ବାନୁମାନ କରି ରାଜ୍ୟର ସମସ୍ତ ବିଦ୍ୟାଳୟରେ 'ଜଳ ବିରତି ଘଣ୍ଟି' ଲାଗୁ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି, ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି। ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଲେଖାଯାଇଛି।

ନିଜ ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ସହାୟତାରେ ଜଳ ବିରତି ଘଣ୍ଟିକୁ ବାଧ୍ୟତାମୂଳକ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅନୁରୋଧ କରିଛି ବିଭାଗ। ଏହି ପଦକ୍ଷେପ ଗ୍ରୀଷ୍ମ ଦିନରେ ଛାତ୍ରଛାତ୍ରୀମାନଙ୍କ ସୁସ୍ଥତା ନିମନ୍ତେ ବିଶେଷ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇ ଦେବାକୁ ଓ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ସଚେତନ କରାଇବା ଜଳ ବିରତି ଘଣ୍ଟିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ ଡିଇଓ ଓ ବିଇଓଙ୍କ ନିକଟକୁ ପଠାଯାଇଥିଲା ଚିଠିରେ ଉଲ୍ଲେଖ କରାଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.