ଝାରସୁଗୁଡ଼ା :-
ଝାରସୁଗୁଡ଼ା ସହରରେ ଟ୍ରାଫିକ ତଥା ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସକାଶେ ବେହେରାମାଲ,ଏସ୍ ପି ଅଫିସ ଛକ, ବିମାନ ବନ୍ଦର ଛକ, ପୁରୁଣା ବସ ଷ୍ଟାଣ୍ଡ ଛକ, ଟାଉନ ଥାନା ଛକ , ସରବାହାଲ ଛକ ଆଦି ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ସିସି ଟିଭି କ୍ୟାମେରା ମୁତୟନ କରାଯାଇଛି। ଏସ୍ ପିଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କଣ୍ଟ୍ରୋଲ ରୁମରୁ ଗାଡ଼ି ଚାଳକଙ୍କ ଗତିବିଧି ଉପରେ ନଜର ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି।
ଚଳିତ ଅପ୍ରେଲ ମାସ ଆଠ ତାରିଖରୁ ମଟରଯାନ ଆଇନ ଉଲଂଘନକାରୀ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଅନଲାଇନ ମାଧ୍ୟମରେ ଚାଲାଣ କଟାଯିବ । ମଟର ଯାନ ନିୟମର ବିଭିନ୍ନ ଧାରା ଅନୁସାରେ ବିନା ହେଲମେଟରେ ଗାଡ଼ି ଚଳାଇବା ପାଇଁ ଏକ ହଜାର ଟଙ୍କା, ସ୍କୁଟର ମଟରସାଇକେଲ ଆଦି ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତାୟାତ କଲେ ଏକ ହଜାର ଟଙ୍କା, ଟ୍ରାଫିକର ନାଲି ସଂକେତକୁ ଅଣଦେଖା ପୂର୍ବକ ଅତିକ୍ରମ କରିବା ସକାଶେ ପାଞ୍ଚ ହଜାର ଟଙ୍କା ଓ ବେପରୁଆ ଭାବେ ଗାଡ଼ି ଚାଳନା ପାଇଁ ଏକ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଥା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ମଟର ଯାନ ଅଧିନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଅପ୍ରେଲ ଆଠ ତାରିଖରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି।


