ଚମ୍ପୁଆ :-
କେଉଁ ଦଳ କାହାକୁ ଦେବ ଟିକେଟ ଆଶଙ୍କା ରେ ପ୍ରାର୍ଥୀ
ଆଗାମୀ ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ବେଶ ସରଗରମ ହୋଇ ପଡ଼ିଥିବା ବେଳେ ନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା ହୋଇ ସରିଛି। ତେବେ ରାଜନୈତିକ ଦଳ ମାନେ ଏପର୍ଯ୍ୟନ୍ତ ତାଙ୍କ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଛାଇ ଯାଇଛି ଅଭୂତପୂର୍ବ ନିରବତା। ଆଶଙ୍କାରେ ଆଶାୟୀ ପ୍ରାର୍ଥୀ ଓ ସମର୍ଥକ। ଚମ୍ପୁଆ ବିଧାନସଭା ରୁ ବିଧାୟକ ପ୍ରାର୍ଥୀ ଟିକେଟ ପାଇଁ ପ୍ରମୁଖ ଦଳ ମାନଙ୍କ ପାର୍ଟି କାର୍ଯ୍ୟାଳୟ ଗୁଡିକରେ ଟିକେଟ ଆଶାୟୀ ପ୍ରାର୍ଥୀ ମାନେ ଅନେକ ପୂର୍ବରୁ ଲବି ଆରମ୍ଭ କରି ଦେଇଥିବା ବେଳେ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ଦଳ କାହାକୁ ଟିକେଟ ଦେବ ତାହା ନେଇ ଆଶାୟୀ ପ୍ରାର୍ଥୀ ମାନେ ଆଶଙ୍କା ରେ ଅଛନ୍ତି। ସାରା ଓଡ଼ିଶା ରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀକୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ବୋଲି କୁହାଯାଏ। କାରଣ ଏହି ନିର୍ବାଚନ ମଣ୍ଡଳୀ ରେ କେନ୍ଦୁଝର ଜିଲ୍ଲା ର ସବୁ ଖଣି ଖାଦାନ ଭାରି ରହିଥିବା ବେଳେ ଓଡ଼ିଶା ସରକାର ପାଉଥିବା ରାଜସ୍ବ ର ଏକ ସିଂହ ଭାଗ ଏହି ଖଣି ବ୍ୟବସାୟ ରୁ ହିଁ ମିଳିଥାଏ। ଏହି ନିର୍ବାଚନ ମଣ୍ଡଳୀ ରୁ ଯିଏ ମଧ୍ୟ ବିଧାୟକ ହୋଇଛନ୍ତି ସେ ରାତାରାତି ଜିରୋ ରୁ ହିରୋ ହୋଇଯିବା ସହିତ ଅସରନ୍ତି କୁବେର ଭଣ୍ଡାର ର ଅଧିକାରୀ ହୋଇଯିବା କଥା କାହାକୁ ଅଛପା ନାହିଁ। ଚମ୍ପୁଆ ବିଧାନସଭା ଆସନ ର ମହୁ ଯିଏ ଥରେ ଚାଖିଛନ୍ତି ସେ ହିଁ ତାହାର ସ୍ଵାଦ ଜାଣିଛନ୍ତି । ତେଣୁ ଚମ୍ପୁଆ ବିଧାନସଭା ଆସନରୁ ବିଧାୟକ ହୋଇ ମହୁ ଫେଣାର ମହୁ ଚାଖିବାକୁ ବିଧାୟକ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ମଧ୍ୟ କିଛି କମ ନୁହେଁ। କଳେ ବେଳେ କୌଶଳେ ଚମ୍ପୁଆ ବିଧାନ ସଭା ଆସନ ର ଟିକେଟ ଟିଏ ପାଇବା ପାଇଁ ଆଶାୟୀ ପ୍ରାର୍ଥୀ ମାନେ ପ୍ରାଣ ପଣେ ଲାଗି ପଡିଛନ୍ତି। ତେବେ ଶାସକ ବିଜେଡି ଦଳ ପାଖରେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ରହିଥିବା ବେଳେ ତନ୍ମଧ୍ୟରୁ ପୂର୍ବତନ ବିଧାୟକ ସନାତନ ମହାକୁଡ଼, ବର୍ତ୍ତମାନ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲ୍ଲା ବିଜେଡି ଉପସଭାପତି କୁଶ ଆପଟ, ବଡବିଲ ମ୍ୟୁନିସିପାଲଟି ଅଧ୍ୟକ୍ଷ ଲାଲଟୁ ମହାନ୍ତ, ଯୋଡ଼ା ମ୍ୟୁନିସିପାଲଟି ଅଧ୍ୟକ୍ଷ ଜଗଦୀଶ ସାହୁ ଙ୍କ ନାମ ପ୍ରମୁଖ ବୋଲି ଜଣା ପଡିଛି। ତେବେ ସନାତନ ମହାକୁଡ ବିଗତ ୨୦୧୪ ନିର୍ବାଚନ ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସ୍ୱାଧୀନ ପ୍ରାର୍ଥି କୁଶ ଆପଟଙ୍କ ଠାରୁ ମାତ୍ର ୧୪୬୭୮ ଟି ଭୋଟ ରେ ବିଜୟ ଲାଭ କରିଥିଲେ। ତେବେ ତାପରେ ସନା ମହାକୁଡ଼ ବିଜେଡି ଦଳରେ ଯୋଗ ଦେଇଥିବା ବେଳେ ୨୦୧୯ ନିର୍ବାଚନରେ ସନା ମହାକୁଡ଼ ତାଙ୍କ ଏକାନ୍ତ ଆନୁଗତ୍ୟ ଭକ୍ତ ମହାନ୍ତଙ୍କ ପତ୍ନୀ ମିନାକ୍ଷୀ ମହାନ୍ତଙ୍କୁ ବିଜେଡି ଟିକେଟ ରେ ବିଧାୟକ ହେବାରେ ସାହାଯ୍ୟ କରିଥିଲେ। ତେବେ ମୀନାକ୍ଷୀ ମହାନ୍ତ ବିଧାୟିକା ହେବା ପରେ ରାତା ରାତି ଷ୍ଟାର ପାଲଟି ଯାଇଥିବା ବେଳେ ସମୟ କ୍ରମେ ସନା ମହାକୁଡଙ୍କ ସହିତ ତାଙ୍କର ବୁଝାମଣା ର ଅଭାବ ଦେଖା ଯାଇଥିଲା। ସନା ମହାକୁଡ଼ ଏବେ କିନ୍ତୁ ସେ ଭୁଲ କୁ ପୁନର୍ବାର ନ ଦୋହରାଇ ନିଜେ ହିଁ ବିଜେଡି ଟିକେଟ ରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। କିନ୍ତୁ ଯଦି ସନା ମହକୁଡଙ୍କୁ ଯଦି ବିଜେଡି ଟିକେଟ ନ ମିଳେ ତେବେ ସେ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ତୟାର୍ ହେଉଥିବା ତାଙ୍କ ସମର୍ଥକ ମାନଙ୍କ ନିକଟରୁ ଶୁଣିବାକୁ ମିଳୁଛି। ସନା ମହାକୁଡ଼ ୨୦୧୪ ନିର୍ବାଚନ ରେ ସ୍ଵାଧୀନ ଭାବରେ ଲଢ଼ି ବିଜୟ ଲାଭ କରିଥିବା ବେଳେ ଏଥର ମଧ୍ୟ ସେ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିଲେ ତାଙ୍କ ବିଜୟ ସୁନିଶ୍ଚିତ ବୋଲି ତାଙ୍କ ସମର୍ଥକ ମାନେ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ବାସ୍ତବ ଚିତ୍ରକୁ ଅବଲୋକନ କଲେ ତାହା ସମ୍ଭବ ହେବା ପରି ଲାଗୁନାହିଁ। କାରଣ ୨୦୧୪ ଏବଂ ୨୦୨୪ ନିର୍ବାଚନ ମଧ୍ୟରେ ଆକାଶ ପାତାଳ ଫରକ୍ ରହିଛି। ୨୦୧୪ ନିର୍ବାଚନ ରେ ଭତ୍ତା ବାବା ଭାବେ ବିଖ୍ୟାତ ଥିବା ସନା ମହାକୁଡ଼ ତାଙ୍କ ଭତ୍ତା ରାଜନୀତି ପାଇଁ ନିର୍ବାଚନ ବୈତରଣୀ ପାର ହୋଇ ଯାଇଥିଲେ। ତେବେ ବିଗତ ୫ ବର୍ଷ ଧରି ଲୋକ ମାନେ ଭତ୍ତା ବାବାଙ୍କ ଭତ୍ତା ଆଉ ପାଇ ପାରୁ ନ ଥିବା ଯୋଗୁଁ ଲୋକଙ୍କ ମନରେ ଅସନ୍ତୋଷ କୁହୁଳୁ ଥିବା ଜଣା ପଡିଛି। ତେବେ ବେଶ କିଛି ଦିନ ପୂର୍ବରୁ ଭତ୍ତା ବାବା ତାଙ୍କ କର୍ମୀ ମାନଙ୍କ ଦ୍ଵାରା ଗାଁ ଗାଁ ରେ କମ୍ବଳ ବଣ୍ଟନ କରିଥିବା ବେଳେ କମ୍ବଳ ସବୁ ଅତି ନିମ୍ନ ମାନର ବୋଲି କିଛି ଲୋକ ଏହାକୁ ନାପସନ୍ଦ କରିଥିବା ବେଳେ ଏଥର ଆଉ କମ୍ବଳ ରାଜନୀତି ଚଳିବ ନାହିଁ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଦୀର୍ଘ ଦିନ ଧରି ସନା ମହାକୁଡ଼ ସାଧାରଣ ଲୋକ ସମ୍ପର୍କ ଠାରୁ ଦୂରେଇ ରହି କେବଳ ତାଙ୍କ କର୍ମୀ ମାନଙ୍କ ଭରଷାରେ ରହି ଯାଇ ଥିବାରୁ ତାଙ୍କ ଠାରୁ ଲୋକ ମାନେ ଦୂରେଇ ଯାଉଥିବା କଥା ଶୁଣିବାକୁ ମିଳୁଛି । ଚମ୍ପୁଆ ରାଜନୀତିର ଅନ୍ୟ ଏକ ଚର୍ଚ୍ଚିତ ଚେହେରା କୁଶ ଆପଟ କିନ୍ତୁ ବିଭିନ୍ନ ସଭା ସମିତି ପର୍ବ ପର୍ବାଣୀ ରେ ଯୋଗ ଦେଇ ସାଧାରଣ ଲୋକ ସଂସ୍ପର୍ଶ ରେ ରହିଥିବା କଥା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯଦିଓ ବିଭିନ୍ନ ଦଳୀୟ ସଭା ସମିତି, ଉଦ୍ଘାଟନ ଉତ୍ସବ ରେ ଦେଖିବାକୁ ମିଳୁଥିଲେ ଲୋକ ମାନଙ୍କ ସହିତ ତାଙ୍କର ପ୍ରତ୍ୟକ୍ଷ ସମ୍ପର୍କ ଖୁବ୍ କମ ବୋଲି ଶୁଣିବାକୁ ମିଳୁଛି। ସାଧାରଣ ଲୋକେ ତାଙ୍କୁ ଭେଟିବାକୁ ଇଚ୍ଛା କଲେ ମଧ୍ୟ ଭେଟି ପାରୁ ନ ଥିବା ଅଭିଯୋଗ କରୁଛନ୍ତି। ତେବେ ଦେଖାଯାଉ ବିଜେଡି ଦଳ ଏମାନଙ୍କ ମଧ୍ୟରୁ କାହାକୁ ଟିକେଟ ଦେଉଛି। ବିଜେପି ପାଖରେ ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କ ଏକ ଲମ୍ବା ତାଲିକା ଅଛି। ସେଥିରେ ମୁରଲୀ ମନୋହର ଶର୍ମା, ଶ୍ରୀମନ୍ତ କୁମାର ତ୍ରିପାଠୀ, ଅଗନୁ ମହାନ୍ତ, ନୀଳମଣି ମହାନ୍ତ, ବିଜୟ ମିଶ୍ର , ସୁକେଶି ଓରାମ ଏପରି ଅନେକ ନାମ ଥିବା ବେଳେ ମୁରଲୀ ଶର୍ମା ଓ ଶ୍ରୀମନ୍ତ ତ୍ରିପାଠୀଙ୍କ ମଧ୍ୟରୁ ଜଣଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଶୁଣିବାକୁ ମିଳୁଛି। ଉଭୟ ମୁରଲୀ ଶର୍ମା ଓ ଶ୍ରୀମନ୍ତ ତ୍ରିପାଠୀ ସଭା ସମିତି କରି ଲୋକଙ୍କ ନିକଟତର ହେବା ସହିତ ଦଳିୟ ଟିକେଟ ପାଇଁ ଲବି କରୁଥିବା ବେଳେ ଶ୍ରୀମନ୍ତ ତ୍ରିପାଠୀଙ୍କୁ ନିକଟରେ ଦଳରୁ ସସପେଣ୍ଡ କରା ଯାଇଥିବାରୁ ତାଙ୍କୁ ଏଥର ଟିକେଟ ମିଳି ନ ପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ ବିଜେପି ଦଳ ତରଫରୁ କାହାକୁ ଟିକେଟ ଦିଆଯାଉଛି। କଂଗ୍ରେସ ଦଳ ପାଖରେ ମଧ୍ୟ ବିଧାୟକ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ଅଛି। ଚମ୍ପୁଆ ବିଧାନସଭା ରୁ କଂଗେସ ଟିକେଟ ରେ ପ୍ରାର୍ଥୀ ହେବା ପାଇଁ ୩୦ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିବା ଜଣା ପଡିଛି। ତେବେ ସେ ମଧ୍ୟରୁ ଯଦୁମଣି ବାରିକ, ବିପ୍ଳବ ମିଶ୍ର, ବ୍ରହ୍ମାନନ୍ଦ ସେଠୀ, ଗୁରୁବକ୍ସ ସିଂ ଆଲୁବାଲିଆଙ୍କ ନାମ ପ୍ରମୁଖ ଥିବା ବେଳେ ନିକଟରେ ବିଜେଡି ଦଳ ଛାଡି କଂଗ୍ରେସ ଦଳ ରେ ଯୋଗ ଦେଇଥିବା ଯଶୋବନ୍ତ ସିଂ ଲାଗୁରୀ ମଧ୍ୟ ଏକ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି। ତେବେ କଂଗ୍ରେସ ଦଳ ପକ୍ଷରୁ କାହାକୁ ଟିକେଟ ଦିଆ ଯାଉଛି ତାହା ଦେଖିବା ବାକି ରହିଲା। ତେବେ ଏଥରକ ଚମ୍ପୁଆ ବିଧାନସଭା ର ଭୋଟର ମାନେ ଦଳୀୟ ଚିହ୍ନ ଅପେକ୍ଷା ପ୍ରାର୍ଥୀଙ୍କ ଉପରେ ବେଶୀ ଧ୍ୟାନ ଦେବାକୁ ମନସ୍ଥ କରିଥିବା ଯୋଗୁଁ ଦଳ ମାନେ ଯଦି ଚମ୍ପୁଆ ବିଧାନସଭା ଆସନ ପାଇଁ ଉଚିତ ପ୍ରାର୍ଥୀ ନ ଦିଅନ୍ତି ତେବେ ତାଙ୍କ ପାଇଁ ଚମ୍ପୁଆ ବିଧାନ ସଭା ଆସନ ଜିତିବା କାଠିକର ପାଠ ହୋଇ ପଡ଼ିବ ବୋଲି ସୂଚନା ମିଳିଛି। ବିଜେଡି, ବିଜେପି ଓ କଂଗ୍ରେସ ପାଖରେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ଥିବା ବେଳେ ସେ ମଧ୍ୟରୁ ଅନେକ ପ୍ରାର୍ଥୀ ଦଳୀୟ ଟିକେଟ ନ ପାଇଲେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଜଣା ପଡିଛି। ତେବେ ଦେଖାଯାଉ କେଉଁ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯାଉଛି ଓ କିଏ କିଏ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଉଛନ୍ତି।
ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ

