ଭୁବନେଶ୍ୱର :-
ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ । ହିନ୍ଦୁ ଧର୍ମରେ ଏହାକୁ ବଟ ସାବିତ୍ରୀ ବ୍ରତ କୁହାଯାଏ | ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଏଥର ଜୁନ ୧୦ ତାରିଖରେ ସାବିତ୍ରୀ ଅମାବାସ୍ୟା ପଡୁଛି । ଏଥର ଜୁନ ୧୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ପଡୁଛି । ଅର୍ଥାତ ଗୋଟିଏ ଦିନରେ ସାବିତ୍ରୀ ଅମାବାସ୍ୟା ଓ ସୂର୍ଯ୍ୟ ପରାଗ ମଧ୍ୟ ଲାଗିବ । ଫଳରେ ଏହି ତିଥିର ମହତ୍ତ୍ୱ ଆହୁରି ବଢିଯିବ...
ହିନ୍ଦୁ ପାଞ୍ଜି ଅନୁଯାୟୀ, ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଅପରାହ୍ନ ଗୋଟାଏ ୪୨ ମିନିଟରୁ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ । ଯେହେତୁ ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗେ, ସୂତକ ସମୟରେ କୌଣସି ଶୁଭ କାର୍ଯ୍ୟ ଓ ପୂଜା ପାଠ କରାଯାଏ ନାହିଁ । ଫଳରେ ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ କରୁଥିବା ମହିଳାଙ୍କ ମନରେ ଅମାବାସ୍ୟା ଦିନ ପୂଜା କରିବା ସମୟକୁ ନେଇ ସନ୍ଦେହ ରହିଛି ଯେ କେଉଁ ସମୟରେ ମହିଳାମାନେ ପୂଜା କରିବେ...
*ଜାଣନ୍ତୁ ସାବିତ୍ରୀ ଅମାବାସ୍ୟା ପୂଜାର ଶୁଭ ସମୟ ଓ ଅନ୍ୟାନ୍ୟ ତଥ୍ୟ...*
ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗିଥାଏ । ସୂତକ କାଳରେ କୌଣସି ଶୁଭ କାର୍ଯ୍ୟ ବା ପୂଜା ପାଠ କରାଯାଏ ନାହିଁ । ମନ୍ଦିର କବାଟ ବନ୍ଦ କରିଦିଆଯାଏ । ମନ୍ଦିରରେ କିମ୍ବା କୌଣସି ଧାର୍ମିକ ସ୍ଥାନରେ ପୂଜା ପାଠ ହୁଏନାହିଁ । କିନ୍ତୁ ଏହି ନିୟମ କେବଳ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ଲାଗୁ ହୁଏ । ଜୁନ ୧୦ ତାରିଖରେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ସୂର୍ଯ୍ୟ ପରାଗରେ ସୂତକ କାଳ ମାନ୍ୟ ନୁହେଁ । ସେଥିପାଇଁ ବିବାହିତା ସାବିତ୍ରୀ ବ୍ରତ ପୂଜା ଯେକୌଣସି ସମୟରେ କରିପାରିବେ । ବିବାହିତାମାନେ ପୂଜା କଲେ କୌଣସି ଦୋଷ ଲାଗିବନି...
ସାବିତ୍ରୀ ବ୍ରତ ଶୁଭ ମୁହୂର୍ତ୍ତ –
ବ୍ରତ ତିଥି – ଜୁନ ୧୦ ତାରିଖ, ଗୁରୁବାର
ଅମାବାସ୍ୟା ଆରମ୍ଭ – ଜୁନ ୯ ତାରିଖ ବୁଧବାର ଅପରାହ୍ନ ୧:୫୭ ମିନିଟ
ଅମାବାସ୍ୟା ସମାପ୍ତ – ଜୁନ ୧୦, ଗୁରୁବାର ସନ୍ଧ୍ୟା ୪:୨୦ ମିନିଟ
ବ୍ରତ ସମାପନ – ଜୁନ ୧୧, ଶୁକ୍ରବାର
ସୂର୍ଯ୍ୟ ପରାଗ – ପରାଗ ଜୁନ ୧୦, ଗୁରୁବାର ଅପରାହ୍ନ ୧:୪୨ ମିନିଟରେ ଆରମ୍ଭ ହେବ ଓ ସନ୍ଧ୍ୟା ୬:୪୧ ମିନିଟରେ ସମାପ୍ତ ହେବ।
ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ