ସୁନ୍ଦରଗଡ:
ଶ୍ରମଜିବୀ ମା ମାନେ ତାଙ୍କର ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ଏକ ସୁରକ୍ଷିତ ଓ ନିରାପଦ ପରିବେଶରେ ରଖି ନିଜ କାର୍ଯ୍ୟ କ୍ଷେତ୍ରକୁ ଯାଇପାରିବେ ବୋଲି ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା “କଳିକା କେନ୍ଦ୍ର” ପ୍ରକଳ୍ପ ଅନ୍ତର୍ଗତରେ ଏକ ତ୍ରିଦିବସୀୟ ପୁନଃ ପ୍ରଶିକ୍ଷଣ ଶିବିର ଓ ଏକ ଦିବସୀୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ଆଞ୍ଚଳିକ ସାଧନ କେନ୍ଦ୍ର ମହୁଲପାଳିରେ ଜୁନ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ପୁନଃ ପ୍ରଶିକ୍ଷଣ ସହିତ ଏକ ଦିବସୀୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଟାଙ୍ଗରପାଲି ବ୍ଲକର ନିଆଳିପାଲି ଓ ସୁରଡାରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସେବିକାମାନେ ପ୍ରୟୋଗାତ୍ମକ ଅନୁଭବ ଓ ଶ୍ରେଷ୍ଠ ପଦ୍ଧତି ବିଷୟରେ ଅଭ୍ୟାସ କରିଥିଲେ। ଜିଲ୍ଲା ଖଣିଜ ପାଣ୍ଠି ଓ ଖଣିଜ ଅଞ୍ଚଳ ବିକାଶ ପରିଷଦଙ୍କ ସହଯୋଗରେ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ସହେଯୋଗୀ ସଂସ୍ଥା “ସେବକ” ଏହି ଶିବିରରେ ତାଲିମ୍ ପ୍ରଦାନ କରିଛନ୍ତି। ପ୍ରଥମ ଦିନରେ ସେବକ ସଂସ୍ଥାର ଅଧ୍ୟକ୍ଷ ଅମିୟ କାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦ୍ୱୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ତାଲିମ ଶିବିର ଆରମ୍ଭ କରିଥିଲେ। ଏହି ତାଲିମରେ କଳିକା କେନ୍ଦ୍ରର ଉଦ୍ଦେଶ୍ୟ, ଆବଶ୍ୟକତା, ସେବିକାଙ୍କ ଭୂମିକା, ଶିଶୁ ବିକାଶ, ପୋଷଣ, ସ୍ୱାସ୍ଥ୍ୟ ପ୍ରୋଟୋକଲ, ଖେଳ ଆଧାରିତ ଶିକ୍ଷା ଓ ରେକର୍ଡ ରଖିବା ପ୍ରଣାଳୀ ବିଷୟରେ ବିସ୍ତୃତ ତାଲିମ୍ ଦିଆ ଯାଇଛି l ଶ୍ରୀ ନାୟକ କଳିକା କେନ୍ଦ୍ର କିପରି ସୁପରିଚାଳିତ ହେବ ସେହି ବିଷୟରେ ମନ୍ତବ୍ୟ ରଖିଥିଲେ। ସେହିପରି ପ୍ରଥମ ଦିନ ସଂସ୍ଥା ସେବକର ମାନବ ସମ୍ବଳ ଓ ଆର୍ଥିକ ବିଭାଗର ମୁଖ୍ୟ ନୀଳାମ୍ବର ଉପାଧ୍ୟାୟ ସଂସ୍ଥାର ନିୟମାବଳୀ ଉପରେ ବକ୍ତବ୍ୟ ରଖିଥିଲେ। ଦ୍ୱିତୀୟ ଦିନରେ କ୍ଲଷ୍ଟର-୨ ର ସଂଯୋଜିକା ସଂଜୁ ପଟେଲ ଖେଳ ଆଧାରିତ ଶିକ୍ଷା ଓ ରେକର୍ଡ ରଖିବା ପ୍ରଣାଳୀ ବିଷୟରେ ପୁନଃ ତାଲିମ ପ୍ରଦାନ କରିଥିଲେ । ତା ସହିତ କ୍ଲଷ୍ଟର-୨ ର ଅର୍ଥ ବିଭାଗର କର୍ମୀ ସରିତା ବୁଡା ଆର୍ଥିକ ନିୟମାବଳି ବିଷୟ ରେ କର୍ମୀମାନକୁ ଅବଗତ କରାଇ ଥିଲେ । ତୃତୀୟ ଦିନରେ ସେବକ ସଂସ୍ଥାର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ଉପସ୍ଥିତ ଥାଇ କଳିକା କେନ୍ଦ୍ରର କର୍ମୀମାନକୁ କିପରି କମିଟି ସହିତ ମିଶି କାମ କରିବେ , କ୍ଷେତ୍ର ପରିଦର୍ଶନ କାଳିନ ସମସ୍ୟା ଓ ସମାଧାନ ବିଷୟରେ ମୁଖ୍ୟ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ ଭାବେ ତାଲିମରେ ସଂଯୋଜିକା ସଂଜୁ ପଟେଲ, ସୂଚୀସ୍ମିତା ନାଥ , କଳିକା କେନ୍ଦ୍ର ପରିଚାଳକ ଶିଳ୍ପା ସୋରେଙ୍ଗ, ଆର୍ଟିଲୀନା ସୋରେଙ୍ଗ, କ୍ଷେତ୍ର ପରିଦର୍ଶିକା ସଂଯୁକ୍ତା ବାରିକ ଅଂଶ ଗ୍ରହଣ କରିଥିଲେ | ଶିବିରର ସମାପନୀ ସମୟରେ କଳିକା କେନ୍ଦ୍ର ପରିଚାଳକ ଶିଳ୍ପା ସୋରେଙ୍ଗଏହି ତ୍ରିଦିବସୀୟ ତାଲିମ ଶିବିର ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱକୁ ସାରଗର୍ଭ ଭାବରେ ଉପସ୍ଥାପନ କରିଥିଲେ। ସେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଯେଉଁମାନେ ଅଂଶ ଗ୍ରହଣ କରିଛନ୍ତି, ପ୍ରଶିକ୍ଷଣ ଦେଇଛନ୍ତି ଓ ସମ୍ମିଳିତ ଭାବେ ସହଯୋଗ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

