ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିଂସାତ୍ମକ ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଠାରେ ସକ୍ରିୟ ଥିବା ବେଲୁଚ ଲିବରେସନ ଆର୍ମି(ବିଏଲ୍ଏ) ଗତକାଲି ରାତିରେ ପ୍ରଦେଶର ବିଭିନ୍ନ ସ୍ଥାନରେ ଭୟଙ୍କର ଆକ୍ରମଣ କରି ୧୦୨ ଜଣ ପାକିସ୍ତାନ ସୈନିକଙ୍କୁ ହତ୍ୟା କରିଛି। ବିଏଲ୍ଏ ଏଥିପାଇଁ ନିଜକୁ ଦାୟୀ କରିଛି।
ବେଲା ଅଞ୍ଚଳର ମୁଖ୍ୟ ସେନା କ୍ୟାମ୍ପ ସମେତ ବିଭିନ୍ନ ସ୍ଥାନରେ ବିଏଲ୍ଏ ବ୍ୟାପକ ଓ ବଡ଼ଧରଣର ଆକ୍ରମଣ କରିଛି। ସେଥିରେ ଆତ୍ମଘାତୀ ଆକ୍ରମଣ ମଧ୍ୟ ସାମିଲ ରହିଛି। ‘ଫିଦାୟିନ୍ ଅପରେସନ୍ ହିରୋଅଫ’ ଅର୍ଥାତ୍ ‘ସବୁପଟୁ ଝଡ଼’ ବେଲୁଚିସ୍ତାନ ସାରା କରାଯାଇଛି ବୋଲି ବିଏଲ୍ଏ ପ୍ରବକ୍ତା ଜିୟାନ୍ଦ ବେଲୁଚ୍ ଏକ ବିବୃତିରେ କହିଛନ୍ତି। ଏହି ଆକ୍ରମଣର ଅଂଶ ଭାବେ ବିଏଲ୍ଏର ପ୍ରମୁଖ ୟୁନିଟ୍ ମଜିଦ୍ ବ୍ରିଗେଡ୍ ପକ୍ଷରୁ ବେଲାର ମୁଖ୍ୟ ସେନା ଶିବିରରେ ଫିଦାୟିନ୍ ବା ଆତ୍ମଘାତୀ ଆକ୍ରମଣ ସଫଳତାର ସହ କରାଯାଇଛି। ଏଥିସହିତ ବିଏଲ୍ଏର ଆକ୍ରମଣକାରୀମାନେ ବେଲୁଚିସ୍ତାନର ସମସ୍ତ ପ୍ରମୁଖ ରାଜପଥକୁ ନିଜ ନିୟନ୍ତ୍ରଣକୁ ନେବା ସହିତ ସେଗୁଡ଼ିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ରଖିଥିଲେ। ତେବେ ଜିୟାନ୍ଦଙ୍କ ପକ୍ଷରୁ ବିସ୍ତୃତ ସୂଚନା ଏ ନେଇ ଦିଆଯାଇ ନାହିଁ।
କିନ୍ତୁ ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଏଲ୍ଏର ଆକ୍ରମଣକାରୀମାନେ ଜିୱାନି ଉପକୂଳ ରାଜପଥରେ ଗ୍ବାଦରର ଗବଦ ଛକରେ ଥିବା ଏକ ଚେକ୍ପଏଣ୍ଟରେ ଆକ୍ରମଣ କରିବା ପରେ ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଟକ ରଖିଛନ୍ତି। ଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ଅସ୍ତ୍ରଶସ୍ତ୍ର ଲୁଟିନେବା ସହିତ ଖଣିଜ ସାମଗ୍ରୀ ପରିବହନ କରୁଥିବା ଅନେକ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଛି। ବେଲୁଚିସ୍ତାନର ଲୋକଙ୍କୁ ବିଏଲ୍ଏ ପକ୍ଷରୁ ରାସ୍ତାକୁ ନଆସିବା ପାଇଁ ପରାମର୍ଶ ଦିଆଯିବା ସହିତ ସେମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି। ସେମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ପାଇଁ ବିଏଲ୍ଏ ପକ୍ଷରୁ ପୁଲିସ ଏବଂ ଚେକ୍ପୋଷ୍ଟ୍ଗୁଡ଼ିକରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସତର୍କ କରାଇ ଦିଆଯାଇଛି। ବେଲୁଚିସ୍ତାନକୁ ଅକ୍ତିଆର କରି ରଖିଥିବା ସେନା ବିରୋଧରେ ସେମାନେ ଲଢ଼େଇ କରୁଛନ୍ତି ବୋଲି କହିଛନ୍ତି। ଯଦି ସେମାନେ ବାଧା ପହଞ୍ଚାନ୍ତି ତା’ହେଲେ ସେମାନେ ମଧ୍ୟ ବିଏଲ୍ଏର ଟାର୍ଗେଟ୍କୁ ଆସିଯିବେ ବୋଲି ସତର୍କ କରାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ପୂର୍ବରୁ ବିଏଲ୍ଏ ବେଲୁଚିସ୍ତାନର ନୋସ୍କି ଅଞ୍ଚଳରେ ମଧ୍ୟ ସମାନ ଧରଣର ଆକ୍ରମଣ କରିଥିଲା। ରାସ୍ତାକୁ ବନ୍ଦ କରିବା ସହିତ ବସ୍ରେ ଯାତ୍ରା କରୁଥିବା ୯ ଜଣଙ୍କୁ ହତ୍ୟା କରିଥିଲା।