ଦେବଗଡ ଜିଲ୍ଲାରେ ରହିଛି ସୁନା ଖଣି । ରିଆମାଳ ବ୍ଲକ ଆଡସ ପଞ୍ଚାୟତରେ ସୁନା ଖଣିର ସନ୍ଧାନ ପାଇଛନ୍ତି ରାଜ୍ୟ ସରକାର । ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଜିଏସଆଇ ଆକଳନରୁ ସୁନା ମହଜୁତ ଥିବା ଜଣାପଡିଛି । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ଗ୍ରାଉଣ୍ଡରେ ପହଞ୍ଚିଥିଲା ନ୍ୟୁଜ ୧୮ ଓଡ଼ିଆ ।
ଆଉ ଗାଁ ଲୋକ କହିଥିଲେ ସୁନା ଖଣି କଥା ।
ରିଆମାଳ ବ୍ଲକ ଆଡସ ଗ୍ରାମପଂଚାୟତର ଆଡସ ସମେତ ରାମପାଳୀ, ହିଲାଙ୍ଗ ଏବଂ କୁଡାପଡା ଗାଁର ବିଭିନ୍ନ ସ୍ଥାନରେ ଡ୍ରିଲ କରାଯାଇ ସୁନାଖଣିର ଅନୁସନ୍ଧାନ କରାଯାଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ୧୯୮୫ ରୁ ଜିଏସଆଇ ସର୍ଭେ କାମ ଆରମ୍ଭ କରିଥିଲା । ପ୍ରଥମେ କେବଳ ତମ୍ବା ପଥରର ସନ୍ଧାନ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ସୁନା ଖଣି ରହିଥିବା ଜଣାପଡିଥିଲା । ଫଳରେ ୨୦୧୮ ମସିହାରୁ ବିଭିନ୍ନ ସମୟରେ ଅନୁସନ୍ଧାନ କରାଯାଉଛି । ଜନବସତି ଏବଂ ସଂରକ୍ଷିତ ଜଙ୍ଗଲର ପ୍ରାୟ ୫୦ଟି ସ୍ଥାନରେ ଡ୍ରିଲ କରାଯାଇ ମାଟି ସଗ୍ରହ କରାଯାଇଛି । ବଡ଼ ବଡ଼ ମ୍ୟାସିନ ସାହାଯ୍ୟରେ ଅତି ଗଭିରରୁ ସୁନାପଥର ସଂଗ୍ରହ କରି ଟେଷ୍ଟ ପାଇଁ ବାହାର ରାଜ୍ୟକୁ ପଠାଯାଉଛି । ସୁନାଖଣି ଅନୁସନ୍ଧାନରେ କାମ କରୁଥିବା ସ୍ଥାନୀୟ ଲୋକ ସୁନା ଏବଂ ତମ୍ବା ବାହାରୁଥିବା ଦେଖିଛନ୍ତି ।
ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଦେବଗଡ ଜିଲ୍ଲାରେ ସୁନାଖଣିର ସନ୍ଧାନ ମିଳିଥିବା କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଖାଲି ଏତିକି ନୁହେଁ ସୁନାଖଣି ନିଲାମ ପାଇଁ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ କହିଛନ୍ତି । ଫଳରେ ଖଣି ବିହୀନ ଦେବଗଡ ଜିଲ୍ଲାର ବିକାଶ ପାଇଁ ଭବିଷ୍ୟତରେ ସୁନାଖଣି ହିଁ ଏକ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ଆଶା କରାଯାଉଛି ।
ଦେବଗଡରୁ ସଞ୍ଜୀବ ପାଣିଗ୍ରାହୀ, ନ୍ୟୁଜ ୧୮ ଓଡିଆ ।

.jpg)
