Type Here to Get Search Results !

୩୫ ବଡ଼ ଶିଳ୍ପରେ ତାଲା: କେନ୍ଦୁଝରରେ ସର୍ବାଧିକ ୭, କଟକରେ ୬ଟି

 


ଭୁବନେଶ୍ବର:-

ରାଜ୍ୟରେ ୩୫ଟି ବୃହତ୍ ଶିଳ୍ପ ବନ୍ଦ ରହିଛି ବୋଲି ବିଧାନସଭାରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ସୂଚନା ଦେଇଛନ୍ତି। ବିଧାୟକ ମନୋହର ରାନ୍ଧାରୀଙ୍କ ପ୍ରଶ୍ନର ଉତ୍ତରରେ ସେ ଜଣାଇଛନ୍ତି ଯେ ବନ୍ଦ ତଥା ରୁଗ୍ଣ ଥିବା ଶିଳ୍ପଗୁଡ଼ିକର ପୁନରୁଦ୍ଧାର ଭାରତ ସରକାରଙ୍କ ଦ୍ବାରା ପ୍ରଚଳିତ ଆଇବିସି ୨୦୧୬ରେ ରହିଥିବା ବ୍ୟବସ୍ଥା ଅନୁସାରେ କରାଯିବ।

ରାଜ୍ୟରେ ବନ୍ଦ ଥିବା ବୃହତ୍ ଶିଳ୍ପ ମଧ୍ୟରୁ ଅଧିକାଂଶ ହେଉଛି ସ୍ପଞ୍ଜ ଆଇରନ୍ କାରଖାନା। କେନ୍ଦୁଝରରେ ସର୍ବାଧିକ ୭ଟି ଓ କଟକରେ ୬ଟି ବୃହତ୍ ଶିଳ୍ପ ବନ୍ଦ ରହିଛି। ସେହିପରି, ଝାରସୁଗୁଡ଼ାରେ ୩, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଗୋଟିଏ ଲେଖାଏଁ, ମୟୂଭଞ୍ଜରେ ୩, ବାଲେଶ୍ବରରେ ୩, ଯାଜପୁରରେ ୪, ଢେଙ୍କାନାଳରେ ୧, ଅନୁଗୁଳ ୩, ବଲାଙ୍ଗୀରରେ, ରାୟଗଡ଼ା ଓ କୋରାପୁଟରେ ଗୋଟିଏ ଲେଖାଏଁ ବୃହତ୍ ଶିଳ୍ପ ବନ୍ଦ ରହିଛି।

ଝାରସୁଗୁଡ଼ାରେ ବନ୍ଦ ହୋଇଥିବା ବୃହତ୍ ଶିଳ୍ପଗୁଡ଼ିକ ହେଉଛି ଆକ୍ସନ ଇସ୍ପାତ, ଜୈନ୍ ଷ୍ଟିଲ୍ ଆଣ୍ଡ୍ ପାୱାର ଓ ଶ୍ରୀମାଧବ ଇସ୍ପାତ। କେନ୍ଦୁଝରରେ ଓଡ଼ିଶା ସ୍ପଞ୍ଜ ଆଇରନ୍, ଓଏମ୍ଡିସି, ଶ୍ରୀ ଗଣେଶ ସ୍ପଞ୍ଜ, ଦୀପକ ଷ୍ଟିଲ୍ ଆଣ୍ଡ ପାୱାର, କଳିଙ୍ଗ ଆଇରନ୍ ୱାର୍କସ୍, ଆଦିତ୍ୟ ସ୍ପଞ୍ଜ ଆଣ୍ଡ୍ ଆଇରନ୍ କାରଖାନା ବନ୍ଦ ହାଇପଡ଼ିଛି। ସେହିପରି, କଟକରେ ହରଦେବ ଷ୍ଟିଲ୍, ବଲାର୍ପୁର ପେପର୍ ଇଣ୍ଡଷ୍ଟ୍ରିଜ୍, ବିରଜା ଷ୍ଟିଲ୍, ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ, ମାହେଶ୍ବରୀ ଇସ୍ପାତ ଓ ଲିବ୍ରା କାର୍ପେଟ୍ସ ବନ୍ଦ ରହିଛି।

ଯାଜପୁରରେ ଟାଟା ଆଇରନ୍ ଆଣ୍ଡ୍ ଷ୍ଟିଲ୍ କମ୍ପାନି, କୋଣାର୍କ ଜ୍ୟୁଟ୍, ଦିନବନ୍ଧୁ ଷ୍ଟିଲ୍ ଆଣ୍ଡ ପାୱାର, ଭିସା ଇଣ୍ଡଷ୍ଟ୍ରିଜ୍; ଢେଙ୍କାନାଳରେ ବିଆର୍ଜି ଷ୍ଟିଲ୍; ଅନୁଗୁଳରେ ଶ୍ରୀ ମେଟାଲିକ୍ସ, ଗଣେଶ ସ୍ପଞ୍ଜ, ବିନ୍ଦାଲ ସ୍ପଞ୍ଜ; ବଲାଙ୍ଗୀରରେ ଋଷଭ ମାଇନିଂ, ରାୟଗଡ଼ାରେ ଫିମାକେମ୍ ଇଣ୍ଡିଆ, କୋରାପୁଟରରେ ବଲାରପୁର ଇଣ୍ଡଷ୍ଟ୍ରିଜ୍; ବାଲେଶ୍ବରରେ ବିର୍ଲା ଟାୟାର୍ସ, ପୋଲାର ଫାର୍ମା, ବି ଆଣ୍ଡ ଏ, ମୟୂରଭଞ୍ଜରେ ଶିବଶକ୍ତି ସ୍ପଞ୍ଜ, ସୁନ୍ଦରଗଡ଼ରେ ଓସିଏଲ୍ ଇଣ୍ଡିଆର ସ୍ପଞ୍ଜ ଆଇରନ ଡିଭିଜନ ଏବଂ ସମ୍ବଲପୁରରେ ରାଠି ଷ୍ଠିଲ୍ ଆଣ୍ଡ୍ ପାୱାର ପ୍ରୋଜେକ୍ଟ ବନ୍ଦ ରହିଛି ବୋଲି ଶିଳ୍ପ ମନ୍ତ୍ରୀ ଦେଇଥିବା ଉତ୍ତରରୁ ଜଣାପଡ଼ିଛି।

୧୪ ବର୍ଷରେ ଆସିଛି ୧୦.୪୬ ଲକ୍ଷ କୋଟି, ଆଉ ୨.୫୨ ଲକ୍ଷ କୋଟି ଆସିବ

ଭୁବନେଶ୍ବର: ରାଜ୍ୟକୁ ୧୪ ବର୍ଷ ଭିତରେ ୧୦,୪୬,୭୨୨.୩୯ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି। ଏହି ସମୟରେ ୩୬ଟି ବୃହତ୍ ଶିଳ୍ପ ସ୍ଥାନ ଲାଗି ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ସୂଚନା ଦେଇଛନ୍ତି। ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଗତ ୧୦ ବର୍ଷ ଭିତରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷ ୧୧୪ ଶିଳ୍ପ ସଂସ୍ଥା ସ୍ଥାପନ ଲାଗି ଅନୁମୋଦନ ପ୍ରଦାନ କରିଥିଲେ। ସେଥିରୁ କିଛି ଆଂଶିକ ଓ ଅନ୍ୟଗୁଡ଼ିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି।

ଓଡ଼ିଶା ଶିଳ୍ପ ବିକାଶ ଖସଡ଼ା-୨୦୨୫ରେ ୨ ଲକ୍ଷ ୫୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଜଣାଇଛନ୍ତି ଯେ ଖାଦ୍ୟ ପ୍ରକ୍ରିୟାକରଣରେ ୧୯,୮୦୦ କୋଟି ଟଙ୍କା, ରସାୟନ ଓ ପେଟ୍ରୋକେମିକାଲ୍ସରେ ୧,୫୧,୯୭୬ କୋଟି ଟଙ୍କା, ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ରେ ୨୮,୮୦୦ କୋଟି ଟଙ୍କା, ଆନୁଷଙ୍ଗିକ ଶିଳ୍ପରେ ୪୦,୦୦୦ କୋଟି ଟଙ୍କା, ସେମିକଣ୍ଡକ୍ଟର/ଆଇଟି ଶିଳ୍ପରେ ୧୨ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ଷେତ୍ରଗୁଡ଼ିକରେ ନିର୍ଧାରିତ ନିବେଶ ଆସିଲେ ରାଜ୍ୟରେ ୩୦ ଲକ୍ଷ ୩୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେବେ ମୋଟ ଉପରେ ୨୦୨୪ ଜୁଲାଇ ସୁଦ୍ଧା ଚିହ୍ନଟ କରାଯାଇଥିବା ଏହି କ୍ଷେତ୍ରଗୁଡ଼ିକରେ ୩୨୦ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ସେଥିରେ ୩,୯୦,୯୦୫.୬୫ କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୩,୪୦,୦୨୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.