ଭୁବନେଶ୍ବର:-
ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ସରକାର ପୁଲିସକୁ ପରାମର୍ଶ ଦେଇଆସୁଛନ୍ତି। କିନ୍ତୁ ଖଣ୍ଡଗିରି ଥାନାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଜଣେ ଅଭିଯୋଗକାରିଣୀଙ୍କୁ ଖୋଦ ଜଣେ ମହିଳା ଏସ୍ଆଇ ଚୋରଚଣ୍ଡାଳ ଭଳି ପ୍ଲାଷ୍ଟିକ୍ ପାଇପ୍ରେ ପିଟିପକାଇଛନ୍ତି। ପରିବାର ପ୍ରତି ବିପଦ ଥିବାରୁ ସୁରକ୍ଷା ମାଗିବାକୁ ତଥା ନ୍ୟାୟ ପାଇବା ଆଶାରେ ଥାନାକୁ ଯାଇଥିବା ମହିଳାଙ୍କ ଅଭିଯୋଗପତ୍ରକୁ ଫାଡ଼ିଦେବା ସହ ତାଙ୍କୁ ଏକ ରୁମ୍ରେ ପୂରାଇ ମହିଳା ଏସ୍ଆଇ ନିର୍ଧୁମ୍ ମାଡ଼ ମାରିଛନ୍ତି।
ଅଭିଯୋଗକାରିଣୀ ହେଉଛନ୍ତି ଜାଗମରା ବରବାରୀରେ ରହୁଥିବା ଲକ୍ଷ୍ମୀ ଡାକୁଆ। ତାଙ୍କ ଅଭିଯୋଗ ଅନୁସାରେ ଅଗଷ୍ଟ ୨୩ ତାରିଖ ରାତିରେ ସେ ଓ ତାଙ୍କ ସ୍ବାମୀ ରାଜୁ ରେଡ୍ଡୀ ମାର୍କେଟ୍ରୁ ଘରକୁ ଫେରୁଥିଲେ। ତାଙ୍କର ଜଣେ ପଡ଼ୋଶୀ ତାଙ୍କ କାର୍କୁ ରାସ୍ତା ଉପରେ ରଖିଥିବାରୁ ସେମାନେ ଘରକୁ ଯିବା ପାଇଁ ସମସ୍ୟାରେ ପଡ଼ିଥିଲେ। ତେଣୁ କାର୍କୁ ବାହାର କରିବାକୁ ସେମାନେ ପଡ଼ୋଶୀଙ୍କୁ ଡାକିଥିଲେ। କିନ୍ତୁ ପଡ଼ୋଶୀଜଣକ ଘରୁ ବାହାରି ଆସି ରାସ୍ତାରୁ କାର୍ ହଟାଇବେ କ’ଣ, ପାଲଟା ଦମ୍ପତିଙ୍କୁ ଗାଳିଗୁଲଜ କରିଥିଲେ। ପରଦିନ ସନ୍ଧ୍ୟାରେ ପଡ଼ୋଶୀଜଣଙ୍କ ଦମ୍ପତିଙ୍କୁ ପୁଣି ଗାଳି କରିବା ସହ ଧମକ ଦେଇଥିଲେ। ସେ ଲୋକାଲ୍ ଟୋକା, ତେଣୁ ତାଙ୍କ କାର୍କୁ ରାସ୍ତାରେ ରଖିବେ। ଆଉ ଥରେ ପ୍ରତିବାଦ କଲେ, ତାଙ୍କ ଝିଅକୁ ଘରୁ ଉଠାଇନେବ ବୋଲି ଦମ୍ପତିଙ୍କୁ ଚେତାବନୀ ଦେଇଥିଲେ। ଝିଅ ପ୍ରସଙ୍ଗ ଉଠିବାରୁ ଭୟରେ ଲକ୍ଷ୍ମୀ ଅଭିଯୋଗ ନେଇ ଖଣ୍ଡଗିରି ଥାନାକୁ ଯାଇଥିଲେ। ଥାନାରେ ଲକ୍ଷ୍ମୀ ମହିଳା ଏସ୍ଆଇ ପାୟଲ୍ ପ୍ରଧାନଙ୍କୁ ଅଭିଯୋଗପତ୍ର ଦେଇଥିଲେ। ଲକ୍ଷ୍ମୀଙ୍କ ଅଭିଯୋଗ ଅନୁସାରେ ଅଭିଯୋଗପତ୍ର ପାଇବା ମାତ୍ରେ ଉତ୍କ୍ଷିପ୍ତ ହୋଇଉଠିଥିଲେ ଏସ୍ଆଇ ପାୟଲ୍ ପ୍ରଧାନ।
ଅଭିଯୋଗପତ୍ରକୁ ଫାଡ଼ିଦେବା ସହ ଏଣୁତେଣୁ କହି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରିବାର ପ୍ରତି ଭୟ ଥିବାରୁ ସୁରକ୍ଷା ପାଇଁ ଥାନାକୁ ଯାଇଥିବା ଲକ୍ଷ୍ମୀ ଏସ୍ଆଇ ପ୍ରଧାନଙ୍କ ଏଭଳି ଆଚରଣକୁ ଦେଖି ବିସ୍ମିତ ହୋଇଯାଇଥିଲେ ଏବଂ ସ୍ବାଭାବିକ ଭାବେ ପ୍ରତିବାଦ କରିଥିଲେ। ଏଥିରେ ଏସ୍ଆଇ ପ୍ରଧାନ ଆହୁରି ରାଗିଯାଇଥିଲେ। ସେ ଲକ୍ଷ୍ମୀଙ୍କୁ ଏକ ରୁମ୍ରେ ପୂରାଇ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ଚାଲିଥିଲେ। କୋହକୋହ ହୋଇ ଲକ୍ଷ୍ମୀ କହିଛନ୍ତି ଯେ ଏସ୍ଆଇ ପ୍ରଧାନ ତାଙ୍କୁ ଏମିତି ପିଟିଲେ, ସତେ ଯେମିତି ସେ କୌଣସି ସଂଗିନ୍ ଅପରାଧର ଅଭିଯୁକ୍ତ। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଏଭଳି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରାଯାଇଛି। ମାମଲାର ତଦନ୍ତ ଜଣେ ଏସିପି ପାହ୍ୟାର ଅଧିକାରୀ କରିବେ। ତଦନ୍ତ ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷରେ ଏହାକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହୋଇଗଲାଣି। ବିଜେଡି ମୁଖପାତ୍ର ଇପି୍ସିତା ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ କମିସନରେଟ୍ ପୁଲିସ ଉପରେ ବର୍ଷିଛନ୍ତି।