Type Here to Get Search Results !

କାଲିଠୁ ରାଜ୍ୟରେ ବଢିବ ବର୍ଷା : ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

 


ଭୁବନେଶ୍ବର: ସକ୍ରିୟ ମୌସୁମୀ ପ୍ରଭାବରେ ମଙ୍ଗଳବାରଠାରୁ ରାଜ୍ୟରେ ବଢିବ ବର୍ଷା । ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ୭ ତାରିଖରେ ୬ ଜିଲ୍ଲାରେ ପ୍ରବଳ ବର୍ଷିବ, ୯ ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି।

ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ କି ନାହିଁ ସେ ସମ୍ବନ୍ଧରେ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ୬ତାରିଖରୁ ତିନିଦିନ ଧରି ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହୋଇପାରେ। ୭ ତାରିଖରେ ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ୮ରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।


ସେପଟେ ଦୁଇଦିନ ହେଲା ରାଜ୍ୟରେ କାଁ କାଁ ବର୍ଷା ହେଉଛି; କିନ୍ତୁ ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ବଢୁଛି। ଏଥିପାଇଁ ହୀରାକୁଦ ଜଳଭଣ୍ଡାର ଫାଟକ ଖୋଲା ଯାଇଛି। ତେବେ ରାଜ୍ୟର କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଉପୁଜି ନାହିଁ ବୋଲି ରାଜ୍ୟ ବନ୍ୟା ନିୟନ୍ତ୍ରକ ନୋଡାଲ ଅଧିକାରୀ ବିଜୟ ସାମଲ କହିଛନ୍ତି।ଶ୍ରୀ ସାମଲ କହିଛନ୍ତି, ୬ତାରିଖରୁ ପ୍ରବଳ ବର୍ଷା ଥିବାରୁ ଆଗୁଆ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି।

ରବିବାର ଅପରାହ୍ଣ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୧ଲକ୍ଷ ୯୩ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୪୬ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିରେ ୧ଲକ୍ଷ ୮୪ହଜାର କ୍ୟୁସେକ୍ ଜଳ ପ୍ରବାହ କରୁଥିବା ବେଳେ ବରମୂଳରେ ୧ଲକ୍ଷ ୫୯ ହଜାର କ୍ୟୁସେକ୍ ଏବଂ ଖଇରମାଳରେ ୧ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହ କରୁଛି। ଉପରୋକ୍ତ ତିନୋଟି ସ୍ଥାନରେ ବିପଦ ସଙ୍କେତ ତଳେ ଜଳ ପ୍ରବାହ କରୁଛି। ରାଜ୍ୟର ଅନ୍ୟାନ୍ୟ ନଦୀଗୁଡିକରେ ଜଳପତ୍ତନ କମ ରହିଛି, ଅର୍ଥାତ ବିପଦ ସଙ୍କେତ ତଳେ ପ୍ରବାହ କରୁଛି। ଏ ଦୃଷ୍ଟିରୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ। 

Post a Comment

0 Comments
* Please Don't Spam Here. All the Comments are Reviewed by Admin.