Type Here to Get Search Results !

ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝି ଗିରଫ: ଚାକିରି ନାଁରେ ଲକ୍ଷ ଲକ୍ଷ ଠକେଇ

 


ମାଲକାନଗିରି/ମାଥିଲି:-

ଚାକିରି ନାଁରେ ଠକେଇ ମାମଲାରେ ମାଥିଲି ଜୋନ୍-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝିଙ୍କୁ ଗିରଫ କରିଛି ପୁଲିସ। ମାମଲା ରୁଜୁ ପରେ ସସ୍ମିତା ଫେରାର ଥିଲେ। ନିଜ ପୈତୃକ ଘର ଜଗତସିଂହପୁରରେ ସସ୍ମିତା ଲୁଚିଥିବା ଖବର ପାଇବା ପରେ ମାଥିଲି ପୁଲିସର ସ୍ବତନ୍ତ୍ର ଟିମ୍ ଗୁରୁବାର ଚଢ଼ଉ କରିଥିଲା। ଗିରଫ ପରେ ସସ୍ମିତାଙ୍କୁ ମାଥିଲି ଆଣି ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।

ଗିରଫ ପୂର୍ବରୁ ବିଜେଡି ସସ୍ମିତାଙ୍କୁ ଦଳରୁ ବହିଷ୍କାର କରିଛି। ପଚରାଉଚରା ପରେ ପୁଲିସ୍ ସସ୍ମିତାଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ହାସଲ କରିଛି। ଯାହା ପୁଲିସ୍କୁ ଏହି ମାମଲାରେ ଆଗକୁ ବଢ଼ିବାରେ ସହାୟକ ହେବ। ସସ୍ମିତା ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ପରଠୁ ମାଥିଲି ବ୍ଲକ୍ ବିଜେଡିର କୌଣସି ନେତାଙ୍କ ସହ ଭଲ ସମ୍ପର୍କ ନଥିଲା।

ନିର୍ଦ୍ଦିଷ୍ଟ କିଛି ଅନୁଗତଙ୍କୁ କାମ ଦେବା ପାଇଁ ସେ ଅଧିକାରୀଙ୍କୁ ଡରାଇ ଧମକାଇ କାମ ହାସଲ କରୁଥିଲେ। ନ ଶୁଣିଲେ ବଦଳି ଧମକ ଦେଉଥିଲେ। କେବଳ ଏତିକି ନୁହେଁ, ତୃତୀୟ ମହଲା ସହ ଭଲ ସମ୍ପର୍କ ଥିବା ପାଣ୍ଡିଆନ୍ଙ୍କ ଶାଳକଙ୍କ ନାଁ କହି ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। କିନ୍ତୁ କାହାକୁ ଚାକିରି ନ ଦେଇ ଭୁଆଁ ବୁଲାଇ ଚାଲିଥିଲେ। ଉପର ମହଲ ଭୟରେ କେହି ସସ୍ମିତାଙ୍କୁ କିଛି କହୁନଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଟଙ୍କା ଫେରାଇବାକୁ ଲୋକମାନେ ଜିଦ୍ ଧରିଥିଲେ। ଟଙ୍କା ଫେରାଇବା ବଦଳରେ ସସ୍ମିତା ହତ୍ୟା ଧମକ ଦେବା ପରେ ମାଥିଲି ଥାନାରେ ଠକେଇର ଶିକାର ଲୋକ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ପୁଲିସ ରମେଶ ରାଉତ, ସସ୍ମିତା ମାଝି, ଜୀବନ ସାହୁଙ୍କ ନାଁରେ ୪ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ରମେଶଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଜି ସସ୍ମିତାଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଜୀବନ ସାହୁ ଫେରାର ଅଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.