Type Here to Get Search Results !

ନିଟ୍‌ କେଳେଙ୍କାରୀର ଆଉ ଏକ ତଥ୍ୟ ସାମ୍ନାକୁ ଆଣିଲା ସିବିଆଇ: ଓଡ଼ିଆ ପରୀକ୍ଷାର୍ଥୀ ବି ଫସିଥିଲେ!



ନୂଆଦିଲ୍ଲୀ:-

ନିଟ୍‌-ୟୁଜି କେଳେଙ୍କାରୀ ମାମଲାରେ ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଜାଲିଆତିରେ ଓଡ଼ିଶାର ପରୀକ୍ଷାର୍ଥୀ ମଧ୍ୟ ଫସିଛନ୍ତି। ଗୁଜରାଟର ଗୋଧ୍ରାସ୍ଥିତ ଏକ କେନ୍ଦ୍ରରେ ସେମାନେ ପରୀକ୍ଷା ଦେଇଥିବା ବେଳେ ଇଂରାଜୀ ବଦଳରେ ସେମାନଙ୍କୁ ଗୁଜରାଟୀ ଭାଷା ବାଛିବାକୁ କୁହାଯାଇଥିଲା। କେବଳ ଓଡ଼ିଶା ନୁହେଁ, ବିହାର, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଅନେକ ନିଟ୍-ୟୁଜି ପରୀକ୍ଷାର୍ଥୀଙ୍କୁ ମଧ୍ୟ ପରୀକ୍ଷାର ଭାଷା ଭାବେ ଗୁଜରାଟୀ ବାଛିବାକୁ ଅଭିଯୁକ୍ତମାନେ କହିଥିଲେ।

ସିବିଆଇ ତଦନ୍ତ ବେଳେ ଏଭଳି ତଥ୍ୟ ମିଳିଛି। ପରୀକ୍ଷା ପ୍ରକ୍ରିୟାରେ ସାମିଲ ଥିବା ଗୁଜରାଟୀ ବ୍ୟକ୍ତିମାନେ ସେମାନଙ୍କ ଉତ୍ତରଖାତା ପୂରଣ କରିପାରିବେ ବୋଲି ନିଟ୍‌ ଦୁର୍ନୀତିର ସଂଚାଳକମାନେ ସେମାନଙ୍କୁ ଆଶ୍ବସ୍ତ କରିଥିଲେ। ଏଭଳି ଆଶ୍ବାସନା ନଦଇ ସେମାନେ ଟଙ୍କା ଆଦାୟ କରିଥିଲେ ବୋଲି ସିବିଆଇ ଆଜି ଗୁଜୁରାଟର ଏକ ଅଦାଲତକୁ ଜଣାଇଛି।

ଏହି ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ସ୍ଥାୟୀ ଠିକଣା ପଞ୍ଚମହଲ କିମ୍ବା ଭଦୋଦରା ବୋଲି ଦର୍ଶାଇବାକୁ କୁହାଯାଇଥିଲା। ଦୁଇଟି ପରୀକ୍ଷା କେନ୍ଦ୍ରରେ ହୋଇଥିବା ଅନିୟମିତତାର ସିବିଆଇ ତଦନ୍ତରୁ ଏଭଳି ବିସ୍ଫୋରକ ତଥ୍ୟ ମିଳିଛି। ସିବିଆଇ କହିଛି ଯେ ଉଭୟ ପରୀକ୍ଷା କେନ୍ଦ୍ରର ନିୟନ୍ତ୍ରଣ ସମାନ ସଂଚାଳକଙ୍କ ପାଖରେ ଥିଲା। ବିଭିନ୍ନ ରାଜ୍ୟର ଏହି ସମସ୍ତ ପ୍ରାର୍ଥୀଙ୍କୁ ଅଭିଯୁକ୍ତମାନେ ଭିନ୍ନ ଭିନ୍ନ ଲିଙ୍କ୍ ଜରିଆରେ ଯୋଗାଯୋଗ କରିଥିଲେ।

ମେ ୫ ତାରିଖରେ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷା ପାଇଁ ଅନ୍ୟତମ ନିର୍ଦ୍ଧାରିତ କେନ୍ଦ୍ର ଗୋଧ୍ରାସ୍ଥିତ ଜୟ ଜଲାରାମ ସ୍କୁଲର ମାଲିକ ଦୀକ୍ଷିତ ପଟେଲଙ୍କ ସମେତ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଇତିମଧ୍ୟରେ ସିବିଆଇ ନିଜ ହେପାଜତକୁ ନେଇଛି। ଜୁନ୍ ୩୦ରେ ତାଙ୍କ ବାସଭବନରୁ ଗିରଫ ହୋଇଥିବା ପଟେଲ ନିଟ୍-ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରତ୍ୟେକ ଛାତ୍ରଙ୍କଠାରୁ ୧୦ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଗତ ମାସ ଗୁଜରାଟ ପୁଲିସଠାରୁ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ସିବିଆଇ ଏବେ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ଭାବରେ 'ଆନ୍ତଃରାଜ୍ୟ ଲିଙ୍କ୍' ଠାବ କରିବା ଉପରେ ଗୁରୁତ୍ୱ ଦେଉଛି।

କିଙ୍ଗ୍‌ପିନ୍‌ ପାଟନାରୁ ଗିରଫ

ନୂଆଦିଲ୍ଲୀ: ନିଟ୍-ୟୁଜି ମାମଲାର କିଙ୍ଗପିନ୍‌କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ପାଟନାରୁ ଗିରଫ କରିଛି। ମୁଖ୍ୟ ସଂଚାଳକକୁ ଗିରଫ କରାଯିବା ପରେ ତଦନ୍ତକାରୀ ସଂସ୍ଥା ପାଟନା ଓ କୋଲକାତାରେ ତା' ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରିଛି। ସ୍ଥାନୀୟ ଅଦାଲତ ମୁଖ୍ୟ ଅଭିଯୁକ୍ତକୁ ଜେରା ପାଇଁ ସିବିଆଇକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।



ମିଳିଥିବା ସୂଚନା ଅନୁଯାୟୀ, ରାକେଶ ରଞ୍ଜନ ଓରଫ ରକି ଝାଡ଼ଖଣ୍ଡର ରାଞ୍ଚିରେ ଏକ ହୋଟେଲ ଚଳାଉଥିଲା। ରକି ହିଁ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ କରାଇଥିଲା ଏବଂ ତା’ପରେ ଚିଣ୍ଟୁ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ପଠାଇଥିଲା, ଯିଏ ଛାତ୍ରଛାତ୍ରୀଙ୍କ ଉତ୍ତର ସହିତ ପ୍ରଶ୍ନପତ୍ର ପ୍ରସାରିତ କରି ଛାପିଥିବା ତଦନ୍ତରୁ ଜଣାପଡ଼ିଛି। ପ୍ରଶ୍ନପତ୍ର ଲିକ୍ ହେବା ପରେ ରକି ନିଟ୍-ୟୁଜି ପରୀକ୍ଷା ପାଇଁ ଉତ୍ତର ସିଟ୍‌ ବ୍ୟବସ୍ଥା ମଧ୍ୟ କରିଥିଲା। ପାଟନା ଏବଂ ରାଞ୍ଚିର ଅନେକ ଏମ୍‌ବିବିଏସ ଛାତ୍ରଙ୍କୁ ରକି ଉତ୍ତରପ୍ରସ୍ତୁତକାରୀ ଭାବରେ ନିଯୁକ୍ତି ଦେଇଥିଲା

ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପାଟନାରୁ ଜଣେ ପ୍ରାର୍ଥୀଙ୍କ ସମେତ ଆଉ ଦୁଇ ଜଣଙ୍କୁ ଗିରଫ କରିବାର ଦୁଇ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନାଳନ୍ଦାର ଜଣେ ନିଟ୍-ୟୁଜି ଆଶାୟୀ ସନ୍ନି ଏବଂ ଗୟାରୁ ଆସିଥିବା ଅନ୍ୟ ଜଣେ ପ୍ରାର୍ଥୀ ରଣଜିତ କୁମାରଙ୍କ ବାପାଙ୍କୁ କରାଯାଇଛି। ଅଧିକାରୀଙ୍କ କହିବା ନୁଯାୟୀ, ସିବିଆଇ ବର୍ତ୍ତମାନ ସୁଦ୍ଧା ବିହାର ନିଟ୍-ୟୁଜି ପେପର ଲିକ୍ ମାମଲାରେ ୯ ଜଣଙ୍କୁ ଗିରଫ କରିଛି ଏବଂ ଗୁଜୁରାଟର ଲାଟୁର ଏବଂ ଗୋଧ୍ରାରେ ହେରଫେର ଅଭିଯୋଗରେ ଜଣେ ଲେଖାଏଁ ଏବଂ ଡେରାଡୁନରୁ ମଧ୍ୟ ଜଣେ ଏ ବାବଦ ଷଡ଼୍‌ଯନ୍ତ୍ର ମାମଲାରେ ଗିରଫ କରିଛି। ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ଦେଶବ୍ୟାପୀ ପ୍ରତିବାଦ ପରେ ସିବିଆଇ ତଦନ୍ତ ଦାୟିତ୍ୱ ନେଇଥିଲା। ଏହି ତଦନ୍ତରେ ସିବିଆଇ ଏପର୍ଯ୍ୟନ୍ତ ଏହି ମାମଲାରେ ୬ଟି ଏଫଆଇଆର ରୁଜୁ କରିଛି । ନିଟ-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରରୁ ସିବିଆଇ ଦ୍ୱାରା ଗିରଫ ହୋଇଥିବା ରକି ହେଉଛି ନବମ ବ୍ୟକ୍ତି। ଗୁଜରାଟ, ଉତ୍ତରାଖଣ୍ଡ ସମେତ ଅନ୍ୟ ରାଜ୍ୟରୁ ମଧ୍ୟ ଅନେକଙ୍କୁ ଗିରଫ କରାଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.