Type Here to Get Search Results !

କେନ୍ଦ୍ର ନେଉଛି ସେସ୍‌: ଓଡ଼ିଶା ଭାଗରେ ଧୂଳି-ପାଉଁଶ, ନିଲାମ ହେଲା ୨ କୋଇଲା ଖଣି

 


ଭୁବନେଶ୍ୱର:-

 ପୁଣି ଓଡିଶାର ୨ କୋଇଲା ଖଣିକୁ ନିଲାମ କରିଛନ୍ତି କେନ୍ଦ୍ର ସରକାର। ୩୯୬ ନିୟୁତ ଟନ୍‌ କୋଇଲା ଗଚ୍ଛିତ ଥିବା କୁନ୍ଦାନାଳି-ଲୁବରି କୋଇଲା ଖଣିକୁ ଗୁଜରାଟ ମିନେରାଲ ଡେ଼ଭଲପମେଣ୍ଟ କର୍ପୋରେସନ (ଜିଏମ୍‌ଡିସି) ନିଲାମ ଧରିଥିବାବେଳେ ୧୩୮ ନିୟୁତ ଟନ୍‌ କୋଇଲା ସଂରକ୍ଷିତ ଥିବା ମାଛକଣ୍ଟା ଖଣିକୁ ଏନ୍‌ଏଲ୍‌ସି ନିଲାମ ଧରିଛି।

ଏହି ଦୁଇ କୋଇଲା ଖଣିରୁ ପଟ୍ଟାଧାରୀମାନେ ବାର୍ଷିକ ୩୦ ନିୟୁତ ଟନ୍‌ ହିସାବରେ ୬୦ ନିୟୁତ ଟନ୍‌ କୋଇଲା ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ନିକଟ ଭବିଷ୍ୟତରେ ଓଡ଼ିଶାର ୯ଟି ଆଂଶିକ ଖନନ ହୋଇଥିବା ଓ କୋଇଲା ଉତ୍ତୋଳିତ ହୋଇଥିବା ୮ଟି ଖଣିକୁ ନିଲାମ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛନ୍ତି। ଏକ ପକ୍ଷରେ ଗତ ୨୦୧୪ ମସିହାରୁ କୋଇଲା ରାଜଭାଗ କେନ୍ଦ୍ର ସରକାର ବଢ଼ାଉ ନାହାନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ଏଥିନେଇ ୨୦୧୪ରୁ ୨୦୨୪ ମଧ୍ୟରେ ଅନେକ ବାର ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଉପେକ୍ଷା କରି ଚାଲିଛନ୍ତି। ମାତ୍ର ଅନ୍ୟପକ୍ଷରେ ପ୍ରତି ଟନ୍‌ କୋଇଲାରୁ ୪୦୦ ଟଙ୍କା ଲେଖାଏଁ ସେସ୍‌ ଆଦାୟ କରୁଛନ୍ତି। ଓଡ଼ିଶାର କୋଇଲା ଖଣି ପ୍ରଭାବିତ ଅଞ୍ଚଳର ଲୋକମାନେ ଧୂଳି, ଧୂଆଁରେ ଅତିଷ୍ଠ ହେଉଥିବାବେଳେ ସେସ୍‌ ରାଶି କେନ୍ଦ୍ର ସରକାରଙ୍କ ଭଣ୍ଡାର ଭରୁଛି। ଏହି ସ୍ଥିତିରେ ଓଡ଼ିଶାରୁ ୨ଟି ଖଣି ନିଲାମ ପରେ ଆଉରି ୧୭ଟି କୋଇଲା ଖଣି ନିଲାମ ପାଇଁ କୋଇଲା ମନ୍ତ୍ରଣାଳୟର ମସୁଧା ରାଜ୍ୟବାସୀଙ୍କୁ ଅତିଷ୍ଠ କରିଛି।

ସମ୍ପ୍ରତି ଆଂଶିକ ଖନନ ହୋଇଥିବା ମହାନଦୀ (ସଂଶୋଧିତ), ଟାଙ୍ଗରଡ଼ିହି (ଉତ୍ତର), ଟାଙ୍ଗରଡ଼ିହି (ଦକ୍ଷିଣ), ଉସ୍ତାଳି (କେନ୍ଦ୍ର), ଉସ୍ତାଳି (ଉତ୍ତର), ଉସ୍ତାଳି (ଦକ୍ଷିଣ), ବାଦିବାହାଲ, କଣ୍ଟାଇକୋଳିଆ, କୋଇଲା ଖଣି ନିଲାମ ନିମନ୍ତେ ଗତ ଜୁନ୍‌ ୨୧ ତାରିଖରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସମ୍ପ୍ରତି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍‌ସିଏଲ୍‌ ଓଡ଼ିଶାରୁ ବାର୍ଷିକ୨୦୦ ନିୟୁତ ଟନ୍‌ କୋଇଲା ଉତ୍ତୋଳନ କରୁଛି। ସେହିପରି ଅନ୍ୟାନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ବିଭିନ୍ନ ଖଣିରୁ କୋଇଲା ଉତ୍ତୋଳନ କରୁଛନ୍ତି। ଏନ୍‌ଏଲ୍‌ସି ଓ ଜିଏମ୍‌ଡିସିକୁ ଦୁଇଟି ଖଣି ଏବେ ପ୍ରଦାନ କରାଯାଇଛି। ଏହା ସହିତ ନିଲାମ ହେବାକୁଥିବା ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରୁ ବାର୍ଷିକ କୋଇଲା ଉତ୍ତୋଳନ ୪୦୦ ନିୟୁତ ଟନ୍‌ ଅତିକ୍ରମ କରିବ। ମାତ୍ର ପ୍ରତିବଦଳରେ ନାମମାତ୍ର ରାଜଭାଗ ବ୍ୟତୀତ ଓଡ଼ିଶାକୁ କିଛି ମିଳିବ ନାହିଁ।

୧୦ ବର୍ଷ ହେଲା ଏହାକୁ ନେଇ ରାଜ୍ୟର ଦାବିକୁ କେନ୍ଦ୍ର ସରକାର ଏଡ଼ାଇ ଚାଲିଛନ୍ତି। ଅନ୍ୟପକ୍ଷରେ ପ୍ରତି ଟନ୍‌ କୋଇଲାରୁ ୪୦୦ ଟଙ୍କା ସେସ୍‌ ଆଦାୟ କରୁଥିଲେ ବି ରାଜ୍ୟକୁ ଫୁଟା ପାହୁଲାଟିଏ କେନ୍ଦ୍ର ସରକାର ଦେଉ ନାହାନ୍ତି । ଏହାଦ୍ୱାରା ରାଜ୍ୟ ସରକାର ବିପୁଳ ରାଜସ୍ୱ କ୍ଷତି ସହୁଛନ୍ତି । ଏହି ପ୍ରସ୍ତାବ କେନ୍ଦ୍ରରେ ଝୁଲୁଥିବାବେଳେ ଏବେ ଅଧା ଖୋଳା କୋଇଲା ଖଣି ଉପରେ କେନ୍ଦ୍ର ଦୃଷ୍ଟି ପକାଇଛି। ପାତ୍ରପଡ଼ା (ଉତ୍ତର), ପାତ୍ରପଡ଼ା (ଦକ୍ଷିଣ), କରଡ଼ାବାହାଲ-ବ୍ରାହ୍ମଣବିଲି, କୋଶଳା (ପୂର୍ବ), କୋଶଳା (ପଶ୍ଚିମ), ଫୁଲଝରି (ପୂର୍ବ ଓ ପଶ୍ଚିମ), ମନ୍ଦାକିନୀ (ବି), ଅର୍ଖପାଳ-ଶ୍ରୀରାମପୁର (ଉତ୍ତର) କୋଇଲା ଖଣିକୁ ଘରୋଇ କମ୍ପାନୀକୁ ଟେକି ଦେବାକୁ ମସୁଧା ଚାଲିଛି। ଏଥିପାଇଁ ନିଲାମ ବିଜ୍ଞପ୍ତି ବି ପ୍ରକାଶ ପାଇଛି।

ରାଜ୍ୟ କୋଇଲା ଓ କୋଇଲା ଖଣିରୁ କେନ୍ଦ୍ର ସରକାର ଲାଭ ଉଠାଉଥିବାବେଳେ ଓଡ଼ିଶାକୁ ଏଥିରୁ କୌଣସି ଆର୍ଥିକ ଲାଭ ତ ମିଳିବ ନାହିଁ; ଅନ୍ୟପକ୍ଷରେ କୋଇଲା ଖଣି ଅଞ୍ଚଳର ଲୋକେ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟର ଦାବିକୁ ସବୁ ସମୟରେ ଅଣଦେଖା ପରେ ଆଉ ଏକ ଏକଚାଟିଆ ନିଷ୍ପତ୍ତି ନେବାକୁ ଯାଉଛି କେନ୍ଦ୍ର। କୋଇଲା ନୀତିରେ ପରିବର୍ତ୍ତନ ଆଣି ରାଜ୍ୟମାନଙ୍କ ସ୍ୱାର୍ଥକୁ ଗୌଣ କରିବା ସହ ପରିବେଶଗତ ପ୍ରସଙ୍ଗକୁ ଅଣଦେଖା କରିବାକୁ କେନ୍ଦ୍ର ଚେଷ୍ଟା କରୁଛି। ସାଧାରଣ ଖଣିଜ ସହ କୋଇଲା ଉତ୍ପାଦନ କରୁଥିବା ଓଡ଼ିଶା ଏବଂ ଝାଡଖଣ୍ଡ ଭଳି ପଛୁଆ ରାଜ୍ୟ ଏହା ଦ୍ୱାରା ବହୁଳ ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି। ୨୦୧୪ରୁ କୋଇଲା ରୟାଲଟି ସଂଶୋଧନ କରିବାର କେନ୍ଦ୍ର ନାଁ ଧରୁନାହିଁ। ଟନ୍‌ ପିଛା ଆଦାୟ ୪୦୦ ଟଙ୍କା ସେସ୍‌ ଅଂଶ ନିଜ ପାଖରେ ରଖୁଛି। ଏଣିକି ଫମ୍ପା କୋଇଲା ନିଲାମ ଘରୋଇ ସଂସ୍ଥା ହାତକୁ ଟେକିବା ପାଇଁ ମନ୍ତ୍ରାଳୟ ଯୋଜନା କରିବା ପଛରେ କି ରହସ୍ୟ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।



ଗତବର୍ଷ କେନ୍ଦ୍ର ସରକାର କୋଇଲା ଅଞ୍ଚଳ(ଖଣିଜ ଅଧିଗ୍ରହଣ ଓ ଉନ୍ନୟନ ) ସିବିଏ- ଆଇନ ୧୯୫୭ରେ ସଂଶୋଧନ ପରେ କୋଇଲା କ୍ଷେତ୍ରରେ ଥିବା କେନ୍ଦ୍ର-ରାଜ୍ୟ ସଂଘୀୟ ଢାଞ୍ଚା ହ୍ରାସ ପାଇଛି । ଏହି ନିୟମରେ କୋଇଲା ଅଞ୍ଚଳ ଥିବା ଅଞ୍ଚଳର ଅଧିଗ୍ରହଣ କ୍ଷମତା କେନ୍ଦ୍ର ସରକାରଙ୍କୁ ଦିଆଯାଇଛି। ଥରେ ଜମି ଅଧିଗ୍ରହଣ ହେବା ପରେ ମାଇନିଂ ଏବଂ ଜମି ଲିଜ୍‌ଧାରୀ ରାଜ୍ୟ କିମ୍ବା କମ୍ପାନୀକୁ ପ୍ରଦାନ କରାଯିବ। ସେହିପରି କୋଇଲା ଥିବା ଅଞ୍ଚଳରେ ଉନ୍ନୟନ ପାଇଁ ଆବଶ୍ୟକ ନିର୍ମାଣ ମଧ୍ୟ କରାଯାଇପାରିବ। ଯାହା ପୂର୍ବ ନିୟମରେ ସମ୍ଭବ ନ ଥିଲା। କୋଇଲା ଉତ୍ତୋଳନ ପରେ ସେହି ଖଣିକୁ ବାଲି କିମ୍ବା ପାଉଁଶ ଭର୍ତ୍ତି କରିବାର ନିୟମ ରହିଥିଲା। ଏହା ଖଣି ଲିଜ୍‌ କମ୍ପାନୀ ମାନେ ହିଁ କରୁଥିଲେ। ସେହିପରି କୋଇଲା ସହ ଲୋ-ଗ୍ରେଡ୍‌ କୋଲ ମିନେରାଲ ତଥା ଲିଗ୍‌ନାଇଟ୍‌ ଗୁଡିକ ମଧ୍ୟ ମାଇନିଂ ପ୍ରକ୍ରିୟାରେ ସମାନ୍ତରାଳ ଭାବେ ସାମିଲ ହେବ ବୋଲି ନିୟମ କରାଯାଇଛି । ଯାହା ଫଳରେ ଖାଲି ହୋଇଥିବା କୋଇଲା ଖାଦାନରେ ରହିଥିବା ବଳକା କୋଇଲାକୁ ନିଲାମ ପାଇଥିବା ଘରୋଇ କମ୍ପାନୀ ଉତ୍ତୋଳନ କରିବେ। ମାତ୍ର ତାହାର ରାଜଭାଗ ରାଜ୍ୟ ସରକାର ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଦ୍ୱିତୀୟତଃ ଫମ୍ପା କୋଇଲା ଖାଦାନ ବାଲି ଫିଲିଂ କରିବା ଦାୟିତ୍ୱ ନିଲାମଧାରୀ କମ୍ପାନୀର । ବାଲି ପୋତିବା ପରେ ବନୀକରଣ ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରୁ ପାଇଥାନ୍ତି କାମ୍ପା ପାଣ୍ଠି । ଏବେ ଘରୋଇ ମାଲିକ ହେଲେ ଆଉ କାମ୍ପା ପାଣ୍ଠି ରାଜ୍ୟ ସରକାର ପାଇବେ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ପରିଣତି ସ୍ୱରୂପ ଓଡ଼ିଶା ପ୍ରତି କ୍ଷେତ୍ରରେ କ୍ଷତି ସହିବ, ମାତ୍ର ପ୍ରତିବଦଳରେ ପାଇବ କେବଳ ଧୂଳି, ଧୂଆଁ ଓ ପାଉଁଶ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.