Type Here to Get Search Results !

ଫସିଲେ ୨ ମାଫିଆ: କାର୍‌ରୁ ୧ କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ

 


ଭୁବନେଶ୍ବର: -

'ଫୁଲବାଣୀରୁ ୨ ମାଫିଆ ଏକ କାର୍‌ରେ ଏକ କ୍ବିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ନେଇ ଝାଡ଼ଖଣ୍ଡ ଯାଉଛନ୍ତି। ସେମାନେ ବିଳମ୍ବିତ ରାତିରେ ଭୁବନେଶ୍ବର ପାର୍‌ ହେବେ। ମାଫିଆଦ୍ବୟ ବାଟରେ ବାରମ୍ବାର ନମ୍ବର ପ୍ଲେଟ୍‌ ବଦଳାଉଛନ୍ତି। କିନ୍ତୁ କାର୍‌ ଚିହ୍ନଟ କରିବା ସହଜ। କାରଣ ଧଳା ରଙ୍ଗର ସେହି କାର୍‌ରୁ ପ୍ରଚୁର କଳା ଧୂଆଁ ବାହାରୁଛି।

ସେମାନେ ରାତି ପାଖାପାଖି ୧ଟା ସୁଦ୍ଧା ଖୋର୍ଦ୍ଧା ପାର୍ ହେବେ।' ଗତକାଲି ରାତି ପ୍ରାୟ ୮ଟା ବେଳେ ଏମିତି ଏକ ବିଶ୍ବାସଯୋଗ୍ୟ ଖବର ପାଇବା ପରେ କମିସନରେଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ପ୍ରସ୍ତୁତ ହୋଇପଡ଼ିଲା। ୩ଟି ଟିମ୍‌ ପ୍ରସ୍ତୁତ ହୋଇପଡ଼ିଲେ। ଅପରେସନ୍‌ ନାଁ ରହିଲା 'ବ୍ଲାକ୍‌ ସ୍ମୋକ୍‌'। ଶେଷ‌ରେ ଅପରେସନ୍‌ ବ୍ଲାକ୍‌ ସ୍ମୋକ୍‌ ସଫଳ ହେଲା ଏବଂ ୨ ମାଫିଆ ପୁଲିସ ବିଛାଇଥିବା ଜାଲରେ ଫସିଗଲେ। ସେମାନେ ହେଲେ କନ୍ଧମାଳର ସପୁନ ବେହେରା(୩୧) ଓ ଅନନ୍ତ ଦିଗଲ(୩୨)। ସେମାନଙ୍କ ନିକଟରୁ ୧୧୨କେଜି ଗଞ୍ଜେଇ ଓ ପ୍ରଚୁର କଳା ଧୂଆଁ ଛାଡ଼ୁଥିବା ଧଳା କାର୍‌ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଆଜି ପୁଲିସ କମିସନର ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ ଖବର ମିଳିବା ପରେ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ର ୩ ଟିମ୍‌ ଅପରେସନ୍‌ ବ୍ଲାକ୍‌ ସ୍ମୋକ୍‌କୁ ସଫଳ କରିବାକୁ ବାହାରିଥିଲେ। ସାଦା ପୋଷାକରେ ୨ ଅଧିକାରୀ ବାଇକ୍‌ ଧରି ଖୋର୍ଦ୍ଧା ବାଇପାସ୍‌ରେ ପିତାପଲ୍ଲୀ ଛକରେ ଛକି ରହିଲେ। ଅନ୍ୟ ୨ଟି ଭ୍ୟାନ୍‌ରେ ଏସିପି ଶରତ ସାହୁ, ଏସିପି କେକେ ହରିପ୍ରସାଦ, ଆଇଆଇସି ସୌମ୍ୟରଞ୍ଜନ ବିଶ୍ବାଳ ଓ ଅଧିକାରୀମାନେ ଗଙ୍ଗପଡ଼ା ଓ ଯାଁଳା ନିକଟରେ ଜଗି ରହିଲେ। ରାତି ପାଖାପାଖି ସାଢ଼େ ୧୨ଟା ସମୟରେ କାର୍‌ଟି ପିତାପଲ୍ଲୀ ଓଭରବ୍ରିଜ୍‌ ପାର୍ ହେବା ପରେ ବାଇକ୍‌ରେ ଜଗିଥିବା ୨ ଅଧିକାରୀ ଗଙ୍ଗପଡ଼ାରେ ଥିବା ଟିମ୍‌କୁ ଖବର ଜଣାଇବା ସହ କାର୍‌କୁ ପିଛା କରିଥିଲେ। ପଛେପଛେ ବାଇକ୍‌କୁ ଦେଖି ୨ ମାଫିଆ ସନ୍ଦେହ କରି ଗାଡ଼ିର ବେଗ ବଢ଼ାଇଦେଇଥିଲେ। ତେଣୁ ଗଙ୍ଗପଡ଼ାରେ ଥିବା ଟିମ୍‌ ସେମାନଙ୍କ କାର୍‌କୁ ଅଟକାଇପାରି ନଥିଲା। ସେମାନଙ୍କଠାରୁ ସୂଚନା ପାଇ ଯାଁଳାରେ ଥିବା ଟିମ୍‌ ରାସ୍ତା ଉପରେ ଜଗି ରହିଲା। ଗଙ୍ଗପଡ଼ାରେ ଥିବା ଟିମ୍‌ କାର୍ ପଛରେ ଲାଗି ରହିଥିବାରୁ ମାଫିଆମାନେ ଜାତୀୟ ରାଜପଥରୁ ତଳକୁ ଯାଇ ସର୍ଭିସ୍‌ ରୋଡ୍‌ରେ ବାଟ ଭାଙ୍ଗି ପଳାଇବାରେ ସଫଳ ହୋଇନଥିଲେ। ଯାଁଳା ଓଭରବ୍ରିଜ୍‌ରେ ପୁଲିସ ଗାଡ଼ି ଦେଖି ସେମାନେ କାର୍‌ ରଖି ତଳକୁ ଡେଇଁ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଇକ୍‌ରେ ଥିବା ୨ ଅଧିକାରୀ ସର୍ଭିସ୍‌ ରୋଡ୍‌ରେ ଆସିଥିବାରୁ ସେମାନଙ୍କ ଖସିବା ବାଟ ବନ୍ଦ ହୋଇଯାଇଥିଲା।


Post a Comment

0 Comments
* Please Don't Spam Here. All the Comments are Reviewed by Admin.