Type Here to Get Search Results !

ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

 


ଭୁବନେଶ୍ବର:-

ଲୋକଙ୍କ ଅଭିଯୋଗ ଶୁଣିବାର ଧାରା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ବହୁ ସଂଖ୍ୟାରେ ଲୋକ ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିଜର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ତେବେ ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟା କେବଳ ଭୁବନେଶ୍ୱରରେ ସୀମିତ ରହିବ ନାହିଁ।

ଆଗକୁ ଆର୍‌ଡିସି ସ୍ତରରେ ଅଭିଯୋଗ ଶୁଣାଣି କରାଯିବ। ଏହାଦ୍ୱାରା ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ସମୁଦାୟ ୧୭୪୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ଶୁଣାଣି କରିଥିଲେ। ଆଜି ଆସିଥିବା ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଭୁବନେଶ୍ୱରର ଭିନ୍ନକ୍ଷମ ବ୍ୟକ୍ତି ରୋହିତ ପ୍ରଧାନ। ତାଙ୍କର ଜୀବିକା ପାଇଁ ଗୋଟିଏ ଇ-ରିକ୍ସା ଓ ରହିବା ପାଇଁ ଘରର ଆବଶ୍ୟକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ତୁରନ୍ତ ଏକ ଇ-ରିକ୍ସା ଯୋଗାଇ ଦିଆଯିବ ଓ ଘର ସମ୍ପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ତାଙ୍କୁ ଜଣାଇ ଦିଆଯାଇଛି।

ସେହିପରି ପାରାଦୀପର ନିରୁପମା ନାୟକ ନାମକ ଜଣେ ମହିଳା ତାଙ୍କର ଦୁଇ ଭିନ୍ନକ୍ଷମ ପିଲାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣେଇବାକୁ ଆସିଥିଲେ। ତାଙ୍କର ଘର ନ ଥିବା ସହ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିଥିଲେ। ତତ୍‌କ୍ଷଣାତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ଡାକି ତାଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ମହିଳା ଏବେ ଭତ୍ତା ପାଉଛନ୍ତି, ଆଗକୁ ଘର ଦିଆଯିବ। ଅଭିଯୋଗ ଶୁଣାଣି ଆରମ୍ଭ ପୂର୍ବରୁ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍‌ଡେଟ୍‌ କରି ରଖିବା ଓ ଦୈନିକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି କୁହାଯାଇଛି। ବିଶେଷକରି ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସୁଦୃଢ଼ ଓ ଦକ୍ଷ କରିବା ଉପରେ ଗୁରୁତ୍ବ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଦ୍ୱାରା ଲୋକଙ୍କ ଅଭିଯୋଗ ଠିକ୍ ଭାବରେ ଶୁଣାଗଲେ ଲୋକମାନଙ୍କୁ ଆଉ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ। ଯେଉଁ ଅଭିଯୋଗଗୁଡ଼ିକ ଶୀଘ୍ର ଫଇସଲା ହେବା ସମ୍ଭବ, ସେଗୁଡ଼ିକୁ ଉପରେ ତୁରନ୍ତ ନିଷ୍ପତ୍ତି କରି ଲୋକଙ୍କୁ ନ୍ୟାୟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆସୁଥିବାରୁ ଏହା ଆଚରଣବିଧିର ଉଲ୍ଲଂଘନ କରୁଛି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନ ଆସି ସଂପୃକ୍ତ ବିଭାଗର କର୍ତ୍ତୃପକ୍ଷମାନଙ୍କୁ ଅଭିଯୋଗ ଜଣାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ଶୁଣାଣିରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ସମ୍ପଦ ଚନ୍ଦ୍ର ସ୍ୱାଇଁ, ଗୋକୁଳାନନ୍ଦ ମଲ୍ଲିକ, ରବି ନାରାୟଣ ନାଏକ ଓ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.