ଭୁବନେଶ୍ୱର :-
ଭୁବନେଶ୍ୱର ଖାରବେଳନଗର ସ୍ଥିତ 'ଭାରତୀୟ ବିଦ୍ୟା ଭବନ' ସମ୍ମେଳନ କକ୍ଷରେ ବୁଧବାର ପୂର୍ବାହ୍ଣରେ ଆୟୋଜିତ ହୋଇଥିଲା ଏଥେନା ବୁକ୍ସର ରୌପ୍ୟ ଜୟନ୍ତୀ ଉଦ୍ଘାଟନୀ ଉତ୍ସବ। ଡ. ବିଧୁପ୍ରଭା ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବକୁ ଖ୍ୟାତି ସଂପନ୍ନା ସାହିତ୍ୟିକା ଶ୍ରୀମତୀ ବନଜ ଦେବୀ ଉଦ୍ଘାଟନ କରିଥିଲେ। ପ୍ରଫେସର୍ ବିଜୟ କୁମାର ଶତପଥୀ ମୁଖ୍ୟଅତିଥି, ପ୍ରଫେସର୍ ବିଜୟାନନ୍ଦ ସିଂହ ସମ୍ମାନିତ ଅତିଥି, ଡ. କୁଳମଣି ଓଝା ମୁଖ୍ୟବକ୍ତା, ଡ. ହୃଷୀକେଶ ପଣ୍ଡା ସମ୍ମାନିତ ବକ୍ତା ରୂପେ ଅଭିଭାଷଣ ପ୍ରଦାନ କରିଥିଲେ। କବୟିତ୍ରୀ ଅଞ୍ଜଳି ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅଭ୍ୟର୍ଥନା ସମିତି ସଭାପତି ବିଶିଷ୍ଟ ଜୀବନୀ ସାହିତ୍ୟ ରଚୟିତା ସତ୍ୟନାରାୟଣ ମହାପାତ୍ର ସ୍ୱାଗତ ସୂଚନା, ଦୁର୍ଗାଚରଣ ଷଡ଼ଙ୍ଗୀ ଏଥେନା ବୁକ୍ସ ପ୍ରକାଶନର ଇତିବୃତ୍ତ, ଏଥେନା ବୁକ୍ସ ସ୍ୱତ୍ୱାଧିକାରୀ ରାଜକିଶୋର ଦାସ ଅତିଥି ପରିଚୟ ଓ ଗାଳ୍ପିକା ନମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ପ୍ରଫେସର୍ ବିଜୟ କୁମାର ଶତପଥୀଙ୍କୁ 'ପ୍ରାବନ୍ଧିକ ପଣ୍ଡିତ ଶ୍ୟାମସୁନ୍ଦର ରାଜଗୁରୁ ସ୍ମୃତି ସମ୍ମାନ ', ଡ. ବିଜୟାନନ୍ଦ ସିଂହଙ୍କୁ 'ଭାଷାବିଦ୍ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ସ୍ମୃତି ସମ୍ମାନ', ଡ. କୁଳମଣି ଓଝାଙ୍କୁ 'ସନ୍ଥ ଅରକ୍ଷିତ ଦାସ ସ୍ମୃତି ସମ୍ମାନ', ଡ. ବିଧୁପ୍ରଭା ରଥଙ୍କୁ 'ସାରସ୍ୱତ ସାଧିକା ସୀତାଦେବୀ ଖାଡ଼ଙ୍ଗା ସ୍ମୃତି ସମ୍ମାନ' ଓ ଡ. ହୃଷୀକେଶ ପଣ୍ଡାଙ୍କୁ 'କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ସ୍ମୃତି ସମ୍ମାନ'ରେ ସମ୍ମାନିତ କରାଯାଇଥିଲା। ରୌପ୍ୟ ଜୟନ୍ତୀ ଉଦ୍ଘାଟନୀ ଉତ୍ସବରେ ଡ. ବିଧୁପ୍ରଭା ରଥଙ୍କ ଉପନ୍ୟାସ 'ମଧୁକ୍ଷରା' ଓ ଆଲୋଚନା ଗ୍ରନ୍ଥ 'ସୀତାକାନ୍ତ ମହାପାତ୍ରଙ୍କ କାବ୍ୟ ମାନସ ମିଥ୍', ଡ. କୁଳମଣି ଓଝାଙ୍କ କବିତା ସଂକଳନ 'ଚିରକାଳ ଆଦିମ ସକାଳ', ଡ. ହୃଷୀକେଶ ପଣ୍ଡାଙ୍କ ଆଲୋଚନା ଗ୍ରନ୍ଥ ' ସର୍ଜନା ଓ ଵିଲୋଚନା', ସୌଦାମିନୀ ମିଶ୍ର (କନିଷ୍ଠା)ଙ୍କ କବିତା ସଂକଳନ 'ସ୍ବପ୍ନର ପଦ୍ମବନ', ଡ. ଶକ୍ତିପ୍ରସାଦ ଛୋଟରାୟଙ୍କ କବିତା ସଂକଳନ 'ସେ ପକ୍ଷୀ ଫେରେନା', ସୁମିତା ବେହେରାଙ୍କ କବିତା ସଂକଳନ 'ମୁଗ୍ଧ ନିରବତା' ଶୀର୍ଷକ ସାତଟି ପୁସ୍ତକର ଭବ୍ୟ ଲୋକାର୍ପଣ କରାଯାଇଥିଲା।

