ଝାରସୁଗୁଡା :-
ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ଅନ୍ତର୍ଭୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦ, ନବରଙ୍ଗପୁର ଦ୍ୱାରା ଓଡ଼ିଶାରେ ପ୍ରକାଶିତ ଗୁଣ୍ଡି ଭାଷାର ସରଳ (ତ୍ରିଭାଷୀ) ଭାଷା ଶିକ୍ଷଣ ପେଟିକା ପାଇଁ ରାଜ୍ୟ ସରକାରଙ୍କୁ ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଧନ୍ୟବାଦ ଜଣାଇଛି। ମହାସଭା ୨୦୧୫ ମସିହାରୁ ସରକାରଙ୍କଠାରେ ଆପତ୍ତି କରି ଆସିଥିବା ଗୋଣ୍ଡି ଭାଷାର ପ୍ରଚଳନ ପାଇଁ ସରକାର ଶେଷରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସର୍ବପୁରାତନ ଭାଷାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟକ୍ଷମ ହେବ। ଗୁଣ୍ଡି ଭାଷା ଉପରେ ମହାସଭା ଦାବି ଜଣାଇଥିବା ବିଷୟ ଉପରେ ସରକାରଙ୍କୁ ପୁନର୍ବାର ଚେତେଇ ଦେଇଛି ଯେ ଏହି ପୁରାତନ ଭାଷାର ଲିପି ସହିତ ତ୍ରିଭାଷୀ ପୁସ୍ତକ ପ୍ରକାଶ କଲେ ଲିପିର ଶୈଳୀରୁ ଝାରସୁଗୁଡା ସ୍ଥିତ ବିକ୍ରମଖୋଲ, ଉଲାପଗଡ଼ ଆଦି ପୁରାତନ ଶିଲାଲିପିର ପ୍ରକୃତ ଉଚ୍ଚାରଣ ଲୋକ ଲୋଚନକୁ ଆସିବ। ମହାସଭା ଦାବି ଜଣାଉଛି ଯେ ଗୁଣ୍ଡି ଭାଷାର ପ୍ରଚାର ପ୍ରସାର ପାଇଁ ସମସ୍ତ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଉ, ପାଠ୍ୟକ୍ରମରେ ଭର୍ତ୍ତି କରାଯାଉ, ରାଜ୍ୟର ପୁରାତନ ଶିଳାଲିପି ଗୁଡିକର ରକ୍ଷଣାବେକ୍ଷଣ କରାଯାଉ ବୋଲି ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ କହିଛନ୍ତି।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
