ନୂଆଦିଲ୍ଲୀ:-
ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ସାଧାରଣ ନିର୍ବାଚନ ଶେଷ ହେବାର ତୁରନ୍ତ ବାଦ୍ ଟେଲିକମ୍ ଉପଭୋକ୍ତାଙ୍କ ଉପରେ ପଡ଼ିଲା ମହଙ୍ଗା ଛାଟ । ଗୋଟିଏ ପରେ ଗୋଟିଏ ଟେଲିକମ୍ କମ୍ପାନି ମୋବାଇଲ ଟାରିଫ୍ରେ ବୃଦ୍ଧି ଘୋଷଣା କରିଚାଲିଛନ୍ତି ।
ଗୁରୁବାର ଦେଶର ସର୍ବବୃହତ୍ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ଏହାର ମୋବାଇଲ ଟାରିଫ୍ରେ ୧୨ରୁ ୨୫%ରୁ ବୃଦ୍ଧି ଘୋଷଣା କରିଥିଲା।
ଏୟାର୍ଟେଲ୍ର ବର୍ଦ୍ଧିତ ଦର ୨୦୨୪ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ । ଏହି ଘୋଷଣା ପରେ କମ୍ପାନିର ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ଉଭୟ ପ୍ଲାନ୍ ମହଙ୍ଗା ହୋଇଯିବ । ସେହିଭଳି ଭୋଡାଫୋନ୍ ଆଇଡିଆ ଏହାର ପ୍ରିପେଡ ଏବଂ ପୋଷ୍ଟ୍ପେଡ୍ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ୍ଗୁଡ଼ିକ ଘୋଷଣା କରିଛି, ଯାହାକି ୨୦୨୪ ଜୁଲାଇ ୪ରୁ ଲାଗୁ ହେବ ।
ଟେଲିକମ୍ କମ୍ପାନିଗୁଡ଼ିକ ୨୦୨୧ ନଭେମ୍ବର ପରେ ପ୍ରଥମ ଥର ପାଇଁ ଟାରିଫ ବଢ଼ାଇଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ୟୁଜର ପିଛା ହାରାହାରି ରାଜସ୍ୱ ବଢାଇବା । ସୂତ୍ର ଅନୁସାରେ, ଟେଲିକମ୍ କମ୍ପାନିଗୁଡ଼ିକ ୫ଜି ସେବାରେ ବିପୁଳ ନିବେଶ କରିଛନ୍ତି । ଜିଓ ଏବଂ ଏୟାର୍ଟେଲ ୫ଜି ସେବା ଆରମ୍ଭ କରିବା ପାଇଁ ୨ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ନିବେଶ କରିଛନ୍ତି କିନ୍ତୁ ଏଯାବତ୍ ସେମାନଙ୍କ ଏହି ନିବେଶ ଉପରେ ରିଟର୍ଣ୍ଣ ମିଳିନାହିଁ ।
ଜଣେ ବରିଷ୍ଠ ଶିଳ୍ପ ଅଧିକାରୀଙ୍କ କହିବାନୁସାରେ, ଟେଲିକମ୍ ଅପରେଟର ଟାରିଫ୍ ବଢ଼ାଇ ୫ଜିରେ ନିଜର ପୁଞ୍ଜିଗତ ନିବେଶର ମୁଦ୍ରୀକରଣ କରିପାରନ୍ତି । ୱେର୍ଲେସ୍ ପ୍ୟାକ୍ ଦର ବଢ଼ିବା ଦ୍ୱାରା ଭାରତୀ ଏୟାର୍ଟେଲ ଏବଂ ଜିଓକୁ ସବୁଠାରୁ ଅଧିକ ଲାଭ ମିଳିବା ଆଶା ରହିଛି ।
ପ୍ରକାଶଯୋଗ୍ୟ, ଟେଲିକମ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ସମସ୍ତ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନ୍କୁ ମହଙ୍ଗା କରିଛି । ଏହାର ସବୁଠାରୁ ଶସ୍ତା ପ୍ରିପେଡ୍ ପ୍ଲାନ୍ ୧୫୫ ଟଙ୍କା ଥିଲା, ଯାହାର ଦାମକୁ ଏବେ କମ୍ପାନି ବଢ଼ାଇ ୧୮୯ ଟଙ୍କା କରିଦେଇଛି ।
ଜିଓ ଏହାର ସମସ୍ତ ମାସିକ, ତ୍ରୟମାସିକ ଏବଂ ବାର୍ଷିକ ପ୍ଲାନ୍ର ଦର ବଢ଼ାଇଦେଇଛି । ଏହାସହିତ ପୋଷ୍ଟ୍ପେଡ୍ ପ୍ଲାନ୍ଗୁଡ଼ିକର ଦର ବି ବଢ଼ାଇଛି
ଏହି ନୂଆ ଦର ୨୦୨୪ ଜୁଲାଇ ୩ରୁ ଲାଗୁ ହେବ । କମ୍ପାନି ଏହାର ୧୯ଟି ପ୍ଲାନ୍ର ଟାରିଫ୍ ବଢ଼ାଇଛି । ଏଥିମଧ୍ୟରୁ ୧୭ଟି ପ୍ରିପେଡ୍ ଏବଂ ଦୁଇଟି ପୋଷ୍ଟ୍ପେଡ୍ । ଜିଓର ୧୫୫ ଟଙ୍କିଆ ମାସିକ ପ୍ଲାନ୍ ଏବେ ୧୮୯ ଟଙ୍କାକୁ ବୃଦ୍ଧି ପାଇଛି । ଏଥିରେ ୨୮ ଦିନ ପାଇଁ ଅସୀମିତ ଭଏସ୍ କଲ୍, ୨ ଜିବି ଡାଟା ଏବଂ ଏସ୍ଏମ୍ଏସ୍ ସୁବିଧା ରହିଛି । ଲୋକପ୍ରିୟ ୨୪୯ ଟଙ୍କିଆ ପ୍ଲାନ୍ରେ ଗ୍ରାହକ ଦିନକୁ ୧ ଜିବି ଡାଟା, ଅସୀମିତ କଲ୍ ଏବଂ ଏସ୍ଏମ୍ଏସ୍ ସୁବିଧା ପାଇବେ । ପୂର୍ବରୁ ଏହା ୨୦୯ ଟଙ୍କାରେ ଉପଲବ୍ଧ ଥିଲା । ସେହିଭଳି ୨୩୯ ଟଙ୍କିଆ ପ୍ଲାନ ୨୯୯ ଟଙ୍କାକୁ ବୃଦ୍ଧି ପାଇଛି । ୩୯୯ ଟଙ୍କିଆ ପ୍ଲାନ୍ ୪୪୯ ଟଙ୍କାକୁ ବଢ଼ିଛି ।
ଜିଓର ଦୁଇ ମାସିଆ ପ୍ଲାନ ଦର ମଧ୍ୟ ବୃଦ୍ଧି ପାଇଛି । ୪୭୯ ଟଙ୍କିଆ ପ୍ଲାନ୍ ୫୭୯ ଟଙ୍କାକୁ ବଢ଼ିଥିବାବେଳେ ୫୩୩ ଟଙ୍କିଆ ପ୍ଲାନ୍ ୬୨୯ ଟଙ୍କାକୁ ବୃଦ୍ଧି ପାଇଛି । ୫୭୯ ଟଙ୍କିଆ ପ୍ଲାନ୍ରେ ଦୈନିକ ୧.୫ଜିବି ଡାଟା ଏବଂ ୬୨୯ ଟଙ୍କିଆ ପ୍ଲାନ୍ରେ ଦିନକୁ ୨ ଜିବି ଡାଟା ମିଳିବ । ବାର୍ଷିକ ପ୍ଲାନ୍ଗୁଡ଼ିକର ଦର ବି ସଂଶୋଧନ ହୋଇଛି । ୧୫୫୯ ଟଙ୍କିଆ ପ୍ଲାନ୍ ୧୮୯୯ ଟଙ୍କାକୁ ବଢ଼ିଛି । ଏଥିରେ ୩୩୬ ଦିନ ପାଇଁ ୨୪ ଜିବି ଡାଟା ମିଳିବ । ୨୯୯୯ ଟଙ୍କିଆ ପ୍ଲାନ୍ ୩୫୯୯ ଟଙ୍କାକୁ ବଢ଼ିଛି । ଏଥିରେ ଏବେ ବର୍ଷକୁ ଦୈନିକ ୨.୫ ଜିବି ଡାଟା ମିଳିବ । ପୋଷ୍ଟ୍ପେଡ୍ ପ୍ଲାନ୍ଗୁଡ଼ିକର ଦର ବି ବୃଦ୍ଧି ହୋଇଛି ।
ଏୟାର୍ଟେଲ ଗ୍ରାହକଙ୍କ ପାଇଁ ୧୭୯ ଟଙ୍କିଆ ମାସିକ ପ୍ଲାନ ୧୯୯ ଟଙ୍କାକୁ ବଢ଼ିଛି । ଏଥିରେ ଏବେ ଦିନକୁ ୨ ଜିବି ଡାଟା, ଅସୀମିତ କଲ୍ ଏବଂ ୧୦୦ ଏସ୍ଏମ୍ଏସ୍ ମାଗଣା ମିଳିବ । ୨୬୫ ଟଙ୍କିଆ ପ୍ଲାନ୍ ଦର ୨୯୯ ଟଙ୍କାକୁ ବୃଦ୍ଧି ପାଇଛି । କମ୍ପାନିର ଅନ୍ୟାନ୍ୟ ଅବଧିଯୁକ୍ତ ପ୍ଲାନ୍ଗୁଡ଼ିକ ବି ବଡ଼ ଆକାରରେ ବଢ଼ିଥିବା ଜଣାପଡ଼ିଛି ।


